ଗାଁ ଦାଣ୍ଡରେ ଚାଲିଗଲା ୩ ଜୀବନ

ଅନୁଗୋଳ ଅଫିସ/ ତାଳଚେର, ୨୯।୪:  ଗାଁ  ଦାଣ୍ଡରେ ପିଲା ଖେଳୁଥିବା ବେଳେ ଶୁକ୍ରବାର ଅପରାହ୍ନରେ ଘଟିଗଲା ଦୁର୍ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ (ନଂ. ଓଡି୦୨ବିସି-୩୭୬୫) ଭାରସାମ୍ୟ ହରାଇ ୨ ପିଲା ଓ ଜଣେ ମହିଳାଙ୍କ ଉପରେ ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା ତାଳଚେର ବ୍ଲକ ବିକ୍ରମପୁର ଥାନା ଗୋବରା ଗ୍ରାମରେ ଘଟିଥିବା ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
ପୋଲିସ କହିଛି, ଗୋବରା ଗଁାର ପ୍ରମିଳା ପ୍ରଧାନ(୫୫) ଦାଣ୍ଡରେ ଠିଆ ହୋଇଥିବା ବେଳେ ସେଠାରେ ରାମଚନ୍ଦ୍ର ପ୍ରଧାନଙ୍କ ଝିଅ ପୁନମ ପ୍ରଧାନ(୭) ଓ ସତ୍ୟନାରାୟଣ ପ୍ରଧାନଙ୍କ ପୁଅ ଗୁଗୁ ପ୍ରଧାନ(୪) ଖେଳୁଥିଲେ। ଏହି ସମୟରେ ଗଁା ରାସ୍ତା ଦେଇ ଯାଉଥିବା ଏକ କାର୍‌ ସମ୍ପୃକ୍ତ ୩ ଜଣଙ୍କ ଉପରେ ଚଢ଼ିଯିବା ସହ ଏକ ଇଟାଗଦାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ୨ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଡ଼ି ଚାଳକ ନିଶାଶକ୍ତ ଅବସ୍ଥାରେ ଥିବା ଲୋକେ ଅଭିଯୋଗ କରିବା ସହ ତାଙ୍କୁ ଓ ଗାଡ଼ିରେ ଥିବା ଅନ୍ୟମାନଙ୍କୁ ମାଡ଼ ମାରିଥିଲେ। ଖବରପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

Share