ସୀମାନ୍ତରୁ ଗିରଫ ହେଲେ ୩ ମାଓବାଦୀ

ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାର ଏକ ଜଙ୍ଗଲରେ କୋମ୍ବିଂ ଅପରେଶନ ବେଳେ ପୋଲିସ ୩ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିକ ଆଞ୍ଚଳା, ରମେଶ ପୁନେମ୍‌ ଓ ପୁନାଠ ରାମ । ସାଲିକ ଓ ରମେଶ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ପୁନାଠ ଜଣେ ମାଓବାଦୀ ସମର୍ଥକ ବୋଲି ଜଣାପଡିଛି। ରବିବାର କାଙ୍କେର ଜିଲା ପଖାଞ୍ଜୁର ଥାନା ଅନ୍ତର୍ଗତ ଗୋମେ ଜଙ୍ଗଲରେ ପୋଲିସ କୋମ୍ବିଂ ଅପରେଶନ ଚଳାଇଥିଲା। ଏହି ସମୟରେ ଉପରୋକ୍ତ ୩ ମାଓବାଦୀ ଜଙ୍ଗଲରେ ବୁଲୁଥିବା ସୂଚନା ପାଇ ପୋଲିସ ସେମାନଙ୍କୁ ଘେରାଉ କରି ଗିରଫ କରିଥିଲା। ସାଲିକ ଓ ରମେଶଙ୍କ ନାମରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପୂର୍ବରୁ ୮ଲକ୍ଷ ଲେଖାଏ ପୁରସ୍କାର ରାଶି ଘୋଷଣା କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ଆଇଇଡି ବୋମା, ଗୋଟିଏ ଓ୍ବାକିଟକି ଜବତ ହୋଇଛି। ଖବର ଲେଖା ହେବାଯାଏ କାଙ୍ଗେର ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି।