ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର ସ୍ବଧର୍ମକୁ ଫେରିଛନ୍ତି।

ସେମାନେ ପ୍ରାୟ ୪ବର୍ଷ ପୂର୍ବେ ହିନ୍ଦୁ ଧର୍ମ ପରିତ୍ୟାଗ କରି କିଛି ଲୋକଙ୍କ ସଂସ୍ପର୍ଶରେ ଆସି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ସମୟକ୍ରମେ ସାହି ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ମେଳରେ ବିଭିନ୍ନ ସାମାଜିକ ସମସ୍ୟା ଭିତରେ ଚଳିବା କଷ୍ଟକର ହୋଇ ପଡ଼ିବାରୁ ଶନିବାର ସେମାନେ ସ୍ବଇଚ୍ଛାରେ ଗ୍ରାମବାସୀଙ୍କ ସହଯୋଗରେ ହିନ୍ଦୁ ଧର୍ମକୁ ଫେରିଛନ୍ତି। ଗ୍ରାମ ମୁଖିଆ ଓ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଗ୍ରାମ ଦେହୁରୀ ସେମାନଙ୍କୁ ଶୌଚ ପରେ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରି ପଞ୍ଚାମୃତ ଦେଇ ହିନ୍ଦୁ ସମାଜରେ ଗ୍ରହଣ କରାଇଛନ୍ତି।