ଠକେଇ ଅଭିଯୋଗରେ ପରିବାରର ୩ ଗିରଫ

ଅନୁଗୋଳ ଅଫିସ, ୨୯ା୧୦: ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ବ୍ୟାଙ୍କରୁ ଘର ପାଇଁ ୧୦ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ ଗୋଟିଏ ପରିବାରର ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ତାଳଚେର ଥାନା ରେମୁଆ ଗ୍ରାମର ହରିହର ବସନ୍ତରା(୫୯), ତାଙ୍କ ପୁଅ ଦିଲୀପ ବସନ୍ତରା(୩୭) ଓ ବୋହୂ। ୨୦୧୭ ନଭେମ୍ବର ୧୪ରେ ବ୍ୟାଙ୍କ ପକ୍ଷରୁ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ନଂ. ୬୫୯/୧୭ରେ ମାମଲା ରୁଜୁ କରିଥିଲେ ବି ୫ ବର୍ଷ ପରେ ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି।
ପୋଲିସ କହିଛି, ୨୦୧୦ ମସିହାରେ ହରିହର ପ୍ରଥମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଗୃହ ନିର୍ମାଣ ପାଇଁ ଋଣ ନେଇଥିଲେ। ଏଥିନିମନ୍ତେ ସେ କିଛି କାଗଜପତ୍ର ବ୍ୟାଙ୍କରେ ଜମା ଦେଇଥିଲେ। କିନ୍ତୁ ଉକ୍ତ ଟଙ୍କାରେ ଘର ନ କରି ମଉଜ କରିଥିଲେ। ପରେ ୨୦୧୪ ମସିହାରେ ଜରାସିଂହାସ୍ଥିତ ଡିସିବି ବ୍ୟାଙ୍କରେ ସମାନ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କା ଋଣ କରିଥିଲେ। ହରିହର ତାଳଚେର ରେମୁଆ ମୌଜାର ପ୍ଲଟ ନଂ .ଏନ୍‌ ୩୯୨ ଓ ଖାତା ନଂ. ୩୯୬/୭୯୫କୁ ବ୍ୟାଙ୍କରେ ବନ୍ଧକ ଦେଇଥିଲେ। ଏପରି କି ପୁଅ ଓ ବୋହୂଙ୍କୁ ଗ୍ୟାରେଣ୍ଟର ଭାବେ ଦର୍ଶାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। କାଗଜପତ୍ର ତନଖି ବେଳେ ହରିହର ପୂର୍ବରୁ ୨୦୧୦ ମସିହାରେ ସେହି କାଗଜପତ୍ର ଦେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡ଼ିଥିଲା। ତେଣୁ ଠକେଇ ନେଇ ତତ୍‌କାଳୀନ ମ୍ୟାନେଜର ବିଶ୍ୱଜିତ୍‌ ସାମଲ ୨୦୧୭ରେ ଅନୁଗୋଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଯାଇଥିଲା। ଦୀର୍ଘ ୫ ବର୍ଷ ପୋଲିସ ଖୋଳତାଢ଼ କରି ହରିହରଙ୍କୁ ଗିରଫ କରିଛି। ଏଥିସହ ଗ୍ୟାରେଣ୍ଟର ଥିବା ପୁଅ ଦିଲୀପ ଓ ବୋହୂଙ୍କୁ ମଧ୍ୟ ଗିରଫ କରିଥିବା ଅନୁଗୋଳ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଏସ୍‌ଆଇ ଶଶିଭୂଷଣ ବେହେରା କରୁଥିବା ଜଣାପଡ଼ିଛି।