ପାଟନା, ୧୯।୪: ବିହାର ରାଜଧାନୀ ପାଟନାର ବିହତା ବ୍ଲକରେ ଜଣେ ମହିଳାଙ୍କ ସମେତ ୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି। ଏଥିସହ ୫୦ ଗାଡ଼ି ଜବତ କରିଛି। ପାଟନା ଡିଷ୍ଟ୍ରିକ୍ଟ ମାଇନିଂ ଅଫିସର କୁମାର ଗୌରବ, ମାଇନିଂ ଇନ୍ସ୍ପେକ୍ଟର ସୟେଦ ଫରହିନ ଏବଂ ଆମ୍ୟା କୁମାରୀ ଆକ୍ରମଣରେ ଆହତ ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ ଖଣି ଅଧିକାରୀଙ୍କ ୨୦ ଜଣିଆ ଟିମ୍ ଇନ୍ସ୍ପେକ୍ସନରେ ଯାଇଥିଲେ। ସେଠାରେ ସର୍ଚ୍ଚ ଅପରେଶନ୍ ସାଙ୍ଗକୁ ଅଧିକାରୀ କିଛି ଗାଡ଼ି ଜବତ କରିଥିଲେ। ସେହି ସମୟରେ କେତେଜଣ ଯୁବକ ସେମାନଙ୍କ ଉପରକୁ ଟେକା ଫିଙ୍ଗିବା ସହ ଗାଳି କରିଥିଲେ। ତେବେ ଘଟଣାର ଏକାଧିକ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଉକ୍ତ ଭିଡିଓକୁ ଆଧାରକରି ପୋଲିସ ତଦନ୍ତ ଚଳାଇଥିବା ପାଟନା (ଓ୍ବେଷ୍ଟ) ଏସ୍ପି ରାଜେଶ କୁମାର କହିଛନ୍ତ। ଅନ୍ୟପକ୍ଷେ ମହିଳା ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଳ୍ୟୁ) ନିନ୍ଦା କରିଛି। ବିହାର ଡିଜିପି ବ୍ୟକ୍ତିଗତ ଭାବେ ଘଟଣାର ତଦାରଖ କରୁଥିବା ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି।