ବିଜେଡି ଛାଡିଲେଣି ୩ ବିଧାୟକ, ୪ ପୂର୍ବତନ ବିଧାୟକ

ଭୁବନେଶ୍ୱର,୪ା୩(ଅନିଲ ଦାସ):ନିର୍ବାଚନ ପାଖେଇ ଆସୁଛି। ଆଶାୟୀଙ୍କ ଆଶା କୂଳ ଲଙ୍ଘିଲାଣି। ନିଜର ରାଜନୈତିକ ଭବିଷ୍ୟତ ବଞ୍ଚାଇବା ପାଇଁ ବିଜେଡିର କେତେକ ବିଧାୟକ ଓ ପୂର୍ବତନ ବିଧାୟକ ଦଳ ଡିଆଁ ଆରମ୍ଭ କରିଛନ୍ତି। ନିଜ ଦଳ ପକ୍ଷରୁ କିଛି ଭରସା ମିଳୁନି। କାହାକୁ ଧରି ନିର୍ବାଚନ ବୈତରଣୀ ପାର ହେବେ ତାହାର କିଛି କୁଳକିନାରା ପାଉନାହାନ୍ତି। ୨୦୧୯ ନିର୍ବାଚନରେ ଯାହାଙ୍କୁ ଭରସା କରିଥିଲେ ସେମାନେ ଆଉ ହାତପାହାନ୍ତାରେ ନାହାନ୍ତି। ଦଳର ଆଗଧାଡ଼ିର ନେତା ମଧ୍ୟ ସେମାନଙ୍କ ପାଖଛଡା ଦେଲେଣି। ଦଳ ମଧ୍ୟ ପୁରୁଣାଙ୍କୁ ବଦଳାଇ ଜନସମ୍ପର୍କ ଥିବା ନୂଆ ଚେହେରା ଖୋଜାରେ ଲାଗିଛି। ଏଭଳି ପରିସ୍ଥିତିରେ କୌଣସି ଥଳକୂଳ ନ ପାଇ ଗତ ୧୧ ଦିନ ଭିତରେ ବିଜେଡିର ୨ ଜଣ ବହିଷ୍କୃତ ବିଧାୟକ, ଜଣେ ବିଧାୟକ ଏବଂ ୪ ଜଣ ପୂର୍ବତନ ବିଧାୟକ ଭାଜପାରେ ଯୋଗ ଦେଇ ସାରିଲେଣି। ସେମାନେ ହେଲେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା ଏବଂ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି । ତେବେ ଆଉ କିଛି ବିଧାୟକ ଓ ପୂର୍ବତନ ବିଧାୟକ ମଧ୍ୟ ଦଳ ଛାଡ଼ିବା ନେଇ ସଙ୍କେତ ଦେଲେଣି।
ସୋମବାର ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ୍‌ ରାଜୁ ଦାସ ଭାଜପାରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି । ଗତ ଧାମନଗର ଉପନିର୍ବାଚନରେ ରାଜୁଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ଛିଡ଼ା ହୋଇଥିଲେ। ବିଜେଡି ତାଙ୍କୁ ନିଲମ୍ବିତ କରିବା ସତ୍ତ୍ୱେ ସେ ନିର୍ବାଚନ ଲଢ଼ି ବିଜେଡି ଭୋଟ ବିଭାଜନ କରିଦେବାରୁ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ । ସେହିପରି ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ମଧ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।

Share