୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ

ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍‌ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ ସଂସ୍ଥା ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଦେଶରେ ରାଜନେତା ଏବଂ ଧନୀବର୍ଗଙ୍କୁ ୩ ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ୍‌ ମାସରୁ କରୋନା ପ୍ରତିଷେଧକ ଟୀକା ମିଳିସାରିଛି। କିନ୍ତୁ ଦେଶର ଗରିବଙ୍କୁ ଏହା ଦିଆଯାଇ ନାହିଁ। ତେଣୁ ସେମାନଙ୍କ ମଧ୍ୟରେ ସଂକ୍ରମଣ ହାର ବଢ଼ିଚାଲିଛି। ଆଲୁମିନିୟମ୍‌ କମ୍ପାନୀ ୟୁନାଇଟେଡ଼ କୋ. ରୁସାଲର ଅଧିକାରୀ, କୋଟିପତି ତଥା ସରକାରୀ ଉଚ୍ଚ ଅଧିକାରୀ ଆଦି ଏହି ତାଲିକାରେ ରହିଥିବା ବ୍ଲୁମ୍‌ବର୍ଗ ଦାବି କରିଛି। ମସ୍କୋସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯାଇଛି। କମ୍ପାନୀକୁ ଏଥିପାଇଁ ସରକାରୀ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଥିବା କୁହାଯାଉଛି। ଏହାପଛରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସମର୍ଥନ ମଧ୍ୟ ରହିଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ସୈନ୍ୟ ଅଧିକାରୀଙ୍କ ଉପରେ ଗାମାଲେୟା ପ୍ରତିଷେଧକ ଟୀକାର ପ୍ରଥମ ପ୍ରର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ତେବେ ଏଭଳି ଅଭିଯୋଗକୁ କ୍ରେମଲିନ୍‌ ପ୍ରବକ୍ତା ଟେମୈତ୍ରି ପେସୋକୋଭ୍‌ ଖଣ୍ଡନ କରିଛନ୍ତି। ଏହା ମିଥ୍ୟା ଅଭିଯୋଗ ବୋଲି ସେ କହିଛନ୍ତି। ଗତ ମେ ମାସରେ ଟେମୈତ୍ରି କରୋନା ସଂକ୍ରମଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଏବେ ସେ ସୁସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯାଇଛି କି ନାହିଁ ପ୍ରଶ୍ନକୁ ସେ ଚତୁରତାର ସହିତ ଏଡ଼ାଇ ଦେଇଛନ୍ତି।

Share