Advertisement
Categories: ମେଟ୍ରୋ

ରାଜ୍ୟରୁ ଆଉ ୩ ସାଇବର ଠକ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ସୋସିଆଲ ମିଡିଆରେ ଲିଙ୍କ୍‌ ପଠାଇ ୱାର୍କ ଫ୍ରମ୍‌ ହୋମ୍‌ ଓ ବିଟ୍‌ କଏନ୍‌ରେ ଟଙ୍କା ନିବେଶ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ମାମଲାରେ ସାଇବର ଥାନା ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡର ରାଜେଶ କୁମାର ବେହେରା, ସମ୍ବଲପୁରର ଦୀପକ କୁମାର ପଟେଲ ଓ କମଳେଶ ପଟେଲ। ସୂଚନାନୁସାରେ, ଅଭିଯୁକ୍ତମାନେ ଅଜଣା ବ୍ୟକ୍ତିଙ୍କ ପାଖକୁ ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ ମାଧ୍ୟମରେ ଲିଙ୍କ୍‌ ପଠାଇ ସେଥିରେ ଆସୁଥିବା ଭିଡିଓଗୁଡିକୁ ଲାଇକ୍‌ ଓ ଶେୟାର କଲେ ପ୍ରତି ଭିଡିଓ ପିଛା ୫୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଭିଡିଓ କ୍ଲିପ୍‌ ମଝିରେ ମର୍ଚ୍ଚାଣ୍ଟ ବେନିଫିଟ୍‌ ଟାସ୍କ ଓ ଅନ୍ୟାନ୍ୟ ଟାସ୍କ ବାବଦକୁ କ୍ରିପ୍‌ଟୋରେ ଟଙ୍କା ବିନିଯୋଗ କଲେ ଭିଡିଓ କ୍ଲିପ୍‌ର ମୂଲ୍ୟବଢ଼ିବା ସହ ବିନିଯୋଗର ବହୁଗୁଣା ଅର୍ଥ ମାତ୍ର କିଛି ମିନିଟ୍‌ ମଧ୍ୟରେ ମିଳିଯିବ ବୋଲି ପ୍ରଲୋଭନ ଦେଖାଉଥିଲେ। ଏପରିକି ଦୃଢ଼ ବିଶ୍ୱାସ ଜନ୍ମାଇବାକୁ ଏସବୁ କାମ ପାଇଁ ପ୍ରଥମେ ପ୍ରଥମେ ପେମେଣ୍ଟ ଆକାରରେ ମୂଳ ସହ କମିଶନ ଓ ଲାଭ ଟଙ୍କା ମିଶାଇ ଲୋକଙ୍କ ଆକାଉଣ୍ଟକୁ ପଠାଉଥିଲେ। ଫଳରେ ଲୋକେ ଲୋଭରେ ପଡି ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରିବା ପରେ ବାରମ୍ବାର ଟାସ୍କ ଦେଇ ଅଧିକରୁ ଅଧିକ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଉଥିଲେ। ମଝିରେ ଲୋକେ ପ୍ରତ୍ୟାହାର କରିବାକୁ ଚାହିଁଲେ ପୁନର୍ବାର ଅଧିକ ଟଙ୍କା ବିନିଯୋଗ କଲା ପରେ ଟାସ୍କ କ୍ଲିୟର ପରେ ସବୁଟଙ୍କା ମିଳିଯିବ ବୋଲି ଆଶ୍ୱାସନା ଦେଉଥିଲେ। ନଚେତ କମ୍ପାନୀର ନିୟମ ଅନୁସାରେ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ଡରାଉଥିଲେ। ଏହିପରି ଭାବରେ ସାଇବର ଠକମାନେ ବିଭିନ୍ନ ପ୍ରକାର ବାହାନା ଦେଖାଇ ପ୍ରମୋଦ ସାହୁଙ୍କଠାରୁ ୧୪ ଲକ୍ଷ ୫୩ ହଜାର ୪୩ ଟଙ୍କା ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଠକି ନେଇଥିଲେ। ଅଭିଯୋଗ ପରେ, ସାଇବର ଥାନା ପୋଲିସ୍‌ ପ୍ରଥମେ ଟଙ୍କା ଯାଇଥିବା ଆକାଉଣ୍ଟଗୁଡିକୁ ଫ୍ରିଜ୍‌ କରିଦେଇଥିଲା। ପରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏପରି ଅପରାଧ ଲାଗି ସେମାନେ ବ୍ୟବହାର କରୁଥିବା ସିମ୍‌ଗୁଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ଫ୍ରିଜ୍‌ ହୋଇଥିବା ଆକାଉଣ୍ଟଗୁଡିକରେ ମୋଟ ୬ଲକ୍ଷ ୩୨ ହଜାର ୮୦୦ ଟଙ୍କା ରହିଥିବାବେଳେ ଅନ୍ୟସବୁ ଟଙ୍କାକୁ ବିଭିନ୍ନ ମାଧ୍ୟମରେ ଟ୍ରାନ୍ସଫର୍‌ ଓ ଉଠାଇ ଦେଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share