ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ଆହୁରି ୩ଦିନ ଲଗାଣ ବର୍ଷା

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା)- ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ପାଗ ମେଘୁଆ ସହ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରିରହିଛି। ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏପରିକି ଗୁରୁବାର ବର୍ଷାର ପ୍ରଭାବ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବୁଧବାର ବାରିପଦାରେ ସର୍ବାଧିକ ୧୨୧.୦ ମିମି, ମାଲକାନଗିରି ଓ ଝାରସୁଗୁଡ଼ାରେ ୧୭.୪ ମିମି, ଜଗତସିଂହପୁରରେ ୧୭.୦ମିମି ନବରଙ୍ଗପୁର, ଭଦ୍ରକ ଓ ନୟାଗଡ଼ରେ ୧୩.୦ ମିମି ବର୍ଷା ସହ ଅନ୍ୟାନ୍ୟ ଜିଲାରେ ମଧ୍ୟ ବର୍ଷା ରେକର୍ଡ଼ କରାଯାଇଛି।
ଅନ୍ୟପଟେ ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା ଥିବାରୁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଗୁରୁବାର ୫ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମା ନକରାଯାଇଛି। ସମ୍ପୃକ୍ତ ଜିଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ ଓ ଢ଼େଙ୍କାନାଳ ଆଦି ଜିଲା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଳପୁର, ଦେବଗଡ଼, ବରଗଡ଼ ଓ ଜଗତସିଂହପୁରର କେତକ ସ୍ଥାନରେ ୭ରୁ ୧୧ ସେମି ପର୍ଯ୍ୟୃନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ସୂଚନା ଥାଉକି, ବର୍ତ୍ତମାନ ମହାନଦୀରେ ୧୮ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ପୁଣି ଛତିଶଗଡ଼ ଅର୍ଥାତ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତେଣୁ ଆଗକୁ ମହାନଦୀରେ ଅଧିକ ଗେଟ ଖୋଲିବା ସହ ମହାନଦୀ ଫୁଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମାନ ଭାବେ ଝାଡ଼ଖଣ୍ଡ ସହ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି।

Share