ଖୋଲିଲା ହୀରାକୁଦର ଆଉ ୩ ଗେଟ୍‌

ସମ୍ବଲପୁର,୨୫ା୭(ଶୁଭାଶିଷ ପାଢ଼ୀ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ଆଉ ୩ ଗେଟ୍‌ ସୋମବାର ଖୋଲାଯାଇଛି। ଫଳରେ ଏବେ ମୋଟ ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମ୍‌କୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ପୁଣି ଗେଟ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୬୧୪.୩୧ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୮ହଜାର ୩୩୫ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ସ୍ପିଲୱେ, ଜଳସେଚନ, ପାୱାର ଚ୍ୟାନେଲ, କଳକାରଖାନ ଏବଂ ଡ୍ୟାମ୍‌ ବାମ ପାର୍ଶ୍ୱର ୬ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ ଗେଟ୍‌ ଦେଇ ମୋଟ ୧ ଲକ୍ଷ ୬୨ ହଜାର ୪୧୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବେଲଗଁାରେ ୮ହଜାର, ପର୍ଥଲାରେ ୪୨ ହଜାର ୭୦୭, ଖଇରମାଲରେ ୨ଲକ୍ଷ ୬ ହଜାର, ବରମୁଲାରେ ୧ଲକ୍ଷ ୫ଶହ ଓ ମୁଣ୍ଡୁଳିରେ ୭୬ ହଜାର ୨୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ, ଡ୍ୟାମ୍‌ର ୫ ଗେଟ୍‌ ଦେଇ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା। ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଏବେ କୌଣସି ଭୟଭୀତ ହେବାର ନାହିଁ। ଜଳଭଣ୍ଡାରରେ ନିୟନ୍ତ୍ରଣ ଅନୁସାରେ ଜଳ ରହିଛି। ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ୍‌ ରଖାଯିବ। ପାଣିପାଗ ବିଭାଗ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସୂଚନା ଅନୁସାରେ ବହୁମାତ୍ରାରେ ବର୍ଷା ହେବା ସମ୍ଭାବନା ନାହିଁ ବୋଲି ସାହୁ କହିଛନ୍ତି।

Share