ବ୍ରହ୍ମପୁର,୧୮।୧୨: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରୁ ଓହରିଲେ ଆଉ ୩ ଏତଲାକାରୀ। ବ୍ରହ୍ମପୁର ଏମ୍ପି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଛନ୍ତି। ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ଏମାନେ କହିଛନ୍ତି। ପୂର୍ବରୁ ଆଉ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଅର୍ଥାତ ସମସ୍ତ ୫ ଅଭିଯୋଗକାରୀ ଏବେ ଏହି ମାମଲାରୁ ଓହରି ଯାଇଛନ୍ତି।
ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ଗତ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ କହିଥିବା ପ୍ରଦୀପଙ୍କ ଓକିଲ କହିଥିଲେ।