ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୩ ନୂଆ ପାଠ୍ୟକ୍ରମ ଖୋଲିବ

ସମ୍ବଲପୁର, ୨।୧୦(ଶୁଭାଶିଷ ପାଢ଼ୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବେ ତିନୋଟି ବିଷୟରେ ନୂତନ ପୋଷ୍ଟ ଗ୍ରାଜୁଏଟ (ପିଜି) ପାଠ୍ୟକ୍ରମ ଆରମ୍ଭ ହେବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷା, ବାଣିଜ୍ୟ ଏବଂ ସଂସ୍କୃତରେ ପିଜି ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦାଖଲ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ ଅନୁମୋଦନ ପରେ ଆଗାମୀ ମାର୍ଚ୍ଚରେ ଏହି ତିନୋଟି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାରଙ୍କଠାରେ ପ୍ରସ୍ତାବ ଦାଖଲ କରାଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ ଶିକ୍ଷା ବିଷୟ ପିଜିରେ ୪୦ଟି ସିଟ୍‌, ବାଣିଜ୍ୟ ଏବଂ ସଂସ୍କୃତରେ ୩୨ଟି ଲେଖାଏଁ ସିଟ ରହିବ। ଖୁବ୍‌ଶୀଘ୍ର ସରକାର ପ୍ରସ୍ତାବ ଗ୍ରହଣ କରି ପିଜି ପାଠ୍ୟକ୍ରମ ଲାଗି ଅନୁମତି ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ବିଷୟରେ ପିଜି ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନୂଆ ପାଠ୍ୟକ୍ରମ ଖୋଲିଲେ ଏହା ବିଶେଷକରି ଜିଲା ତଥା ପଡ଼ୋଶୀ ଜିଲା ପିଲାଙ୍କ ପାଇଁ ସୁବିଧା ହେବ।

Share