୩ ଓଡ଼ିଆଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ତିନିଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ଶଳା ବୁଢ଼ାର ବଦ୍‌ଲା’ ଫିଲ୍ମ ପାଇଁ ସବ୍ୟସାଚୀ ମହପାତ୍ର ଏବଂ ‘କାଲିର ଅତୀତ’ ପାଇଁ ନୀଳମାଧବ ପଣ୍ଡାଙ୍କୁ ଦ୍ୱୈତ ଭାବେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି। ନନ୍‌ ଫିଚର ଫିଲ୍ମ ବର୍ଗରେ ଆଶୁତୋଷ ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି। ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ କଳା ଓ ସଂସ୍କୃତି ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ଏହି ଅବସରରେ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଏହି ସଫଳତା ପାଇଁ ମା’ ସମଲେଶ୍ୱରୀଙ୍କ ପାଖରେ ମୋର ପ୍ରଣାମ ଜଣାଇବା ସହିତ ସବୁ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଉଛି। ବାପାଙ୍କ କଥା ଆଜି ବହୁତ ମନେପଡ଼ୁଛି। ସେ ଥିଲେ ବହୁତ ଖୁସୀ ହୋଇଥାନ୍ତେ ବୋଲି ସବ୍ୟସାଚୀ କହିଛନ୍ତି। ସେହିପରି ନୀଳମାଧବ ପଣ୍ଡା ମଧ୍ୟ ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ପୃଥିବୀ ମା’କୁ ମୋର ଏହି ସମ୍ବର୍ଦ୍ଧନା ଉତ୍ସର୍ଗୀକୃତ କରୁଛି ବୋଲି କହିଛନ୍ତି। ‘କାଲିର ଅତୀତ’ ତାଙ୍କର ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଅଟେ।

Share