Categories: ଖେଳ

ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଦୃଷ୍ଟିବାଧିତ ଆଇବିଏସ୍‌ଏ ବିଶ୍ୱ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଗୁରୁବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ସଂଘ(କାବି)। ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡା ମହାସଂଘ(ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ୨୦୨୩ ଆୟୋଜିତ ହେବ। ୧୮ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଦୃଷ୍ଟିବାଧିତ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୩ ଜଣ ଖେଳାଳି ମହମ୍ମଦ ଜାଫର୍‌ ଇକ୍‌ବାଲ, ନକୁଳ ବଡନାୟକ ଓ ପଙ୍କଜ ଭୁଏଙ୍କୁ ସାମିଲ କରାଯାଇଛି। ବି-୧ ଓ ବି-୨ ବର୍ଗରୁ ୬ ଜଣ ଲେଖାଏ ଖେଳାଳିଙ୍କୁ ଚୟନ କରାଯାଇଥିବା ବେଳେ ବି-୩ ବର୍ଗରୁ ୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସଦ୍ୟ ସମାପିତ ଟି୨୦ ବିଶ୍ୱକପ ବିଜୟୀ ହୋଇଥିଲା ଭାରତୀୟ ଦଳ। ସମାନ ଇଭେଣ୍ଟ ପାଇଁ ମହିଳା ଦଳ ମଧ୍ୟ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଦଳ ବେଙ୍ଗାଲୁରୁରେ ଏକ ଟ୍ରେନିଂ କ୍ୟାମ୍ପରେ ଭାଗନେବ।
ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ରହିଛି ବୋଲି କହିଛନ୍ତି କାବିର ସଭାପତି ମହନ୍ତେଶ ଜି. କିଭାଦାସାନ୍ନାଭାର। ବିଗତ କିଛି ବର୍ଷ ମଧ୍ୟରେ ଯେଉଁଭଳି ନୂତନ ପ୍ରତିଭା ସାମ୍ନାକୁ ଆସୁଛନ୍ତି ତାହା ଅତ୍ୟନ୍ତ ଖୁସିର ବିଷୟ। ଏହା ସହିତ ଅନେକ ପୂର୍ବତନ ଖେଳାଳି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସେ କହିଛନ୍ତି। ଏଭଳି ବୃହତ୍‌ ଟୁର୍ନାମେଣ୍ଟ ଦେଶରେ ଦୃଷ୍ଟିବାଧିତ କ୍ରିକେଟକୁ ଆଗକୁ ବଢିବାରେ ସହାୟକ ହେବ ବୋଲି କହିଛନ୍ତି କାଭିର ସାଧାରଣ ସମ୍ପାଦକ ତଥା ଚୟନ କମିଟି ମୁଖ୍ୟ ଜନ୍‌ ଡେଭିଡ୍‌। ଭାରତୀୟ ଦଳ: ବସପ୍ପା ଓ୍ବାଡାଗୋଲ, ମହମ୍ମଦ ଜାଫର ଇକବାଲ, ମହାରାଜା ଶିବାସୁବ୍ରମନିଆନ, ଓମ୍‌ପ୍ରକାଶ ପାଲ, ନରେଶ ଭାଇ ବାଲୁଭାଇ ତୁମଡା, ନୀଲେଶ ଯାଦବ(ବି-୧), ଅଜୟ କୁମାର ରେଡ୍ଡୀ ଇଲ୍ଲୁରୀ, ଭେଙ୍କଟେଶ୍ୱର ରାଓ ଡୁନ୍ନା, ପଙ୍କଜ ଭୁଏ, ରାମବୀର ସିଂ, ନକୁଳ ବଡନାୟକ, ଇର୍ଫାନ ଦିଓ୍ବାନ(ବି-୨), ପ୍ରକାଶ ଜୟରାମ୍ମାୟା, ସୁନୀଲ ରମେଶ, ଦୀପକ ମଲିକ, ଦୁର୍ଗା ରାଓ ଟୋମ୍ପାକି, ରବି ଅମିଟି (ବି-୩)।

Share