ବ୍ୟକ୍ତିଗତ ହାଜର ହେଲେ ୩ ଅଧିକାରୀ

କଟକ ଅଫିସ,୧୨ା୨- ଚିଲିକା ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲିବା ଘଟଣାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ୩ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ, ଚିଲିକା ବନଖଣ୍ଡ ଅଧିକାରୀ ଶରତ ମିଶ୍ର ଓ ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ସାହୁ ଭର୍ଚୁଆଲ୍‌ରେ ହାଜର ହୋଇ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲୁଥିବା ଘଟଣାକୁ ସ୍ବୀକାର କରିଥିଲେ। ଯେଉଁମାନଙ୍କୁ ଲାଇସେନ୍ସ ଦିଆଯାଇଛି ସେମାନେ ମଙ୍ଗଳାଯୋଡି ଅତିକ୍ରମ କରିବାବେଳେ ମୋଟରର ବ୍ୟବହାର କରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିବା ସେମାନେ ଅଦାଲତଙ୍କୁ ଅବଗତ କରାଇଥିଲେ। ସେହିପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସମୟରେ ମଙ୍ଗଳାଯୋଡି ଅଞ୍ଚଳରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଆସନ୍ତା ୩ ଦିନ ମଧ୍ୟରେ ମଙ୍ଗଳାଯୋଡିର ମତ୍ସ୍ୟଜୀବୀଙ୍କ ସହ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ସିଡିଏ କର୍ତ୍ତୃପକ୍ଷ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ। ତେବେ ଶୁକ୍ରବାର ଶୁଣାଣିବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ପ୍ରଦୀପ ବେହେରା ଓ ନାବାସ ବେହେରା ପକ୍ଷଭୁକ୍ତ ହୋଇ କେବଳ ମଙ୍ଗଳାଯୋଡି ନୁହେଁ ଚିଲିକାର ନଳବଣ ପକ୍ଷୀବିହାରରେ ମଧ୍ୟ ଏହି ମୋଟର ଚାଳିତ ଡଙ୍ଗାର ବ୍ୟବହାର ଉପରେ କଟକଣା ଲାଗୁ ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।