Categories: ଜାତୀୟ

ସିବିଆଇ ମୁଖ୍ୟ ଲାଗି ସଂକ୍ଷିପ୍ତ ତାଲିକାରେ ୩ ଅଧିକାରୀ

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ମୁଖ୍ୟ ଚୟନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନ ବିଚାରପତି ଏନ୍‌.ଭି. ରମାନା ଏବଂ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଇଥିଲେ। ଏଥିରେ ୩ ଜଣଙ୍କ ନାମ ଶର୍ଟଲିଷ୍ଟ ହୋଇଛି। ତେବେ ଚୟନ ପ୍ରକ୍ରିୟାକୁ ନେଇ ଅଧୀର ପ୍ରତିବାଦ ଜଣାଇଥିଲେ। ସଂକ୍ଷିପ୍ତ ତାଲିକାରେ ଥିବା ଅଧିକାରୀମାନେ ହେଲେ ଉତ୍ତରପ୍ରଦେଶ ପୋଲିସ ଡିଜି ଏଚ୍‌.ସି. ଅଓ୍ବସ୍ତି, ସଶସ୍ତ୍ର ସୀମା ବଳ ମହାନିର୍ଦ୍ଦେଶକ କେ.ଆର୍‌. ଚନ୍ଦ୍ରା ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭି.ଏସ୍‌.କେ. କୌମୁଦୀ।

Share