ଇମ୍ରାନ୍‌ଙ୍କ ପାଇଁ ୩ ବିକଳ୍ପ…

ଇସଲାମାବାଦ୍‌, ୨।୪ : ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତବ୍ୟ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ଶାସକ ନେତାଙ୍କ ଦ୍ୱାରା ଏଷ୍ଟାବ୍ଲିସମେଣ୍ଟକୁ ସିଧାସଳଖ ରାଜନୈତିକ ବିବାଦ ଭିତରକୁ ଟାଣି ନେଇଛି। ପାକିସ୍ତାନରେ ପ୍ରକୃତ ଶକ୍ତି ’ଡିପ୍‌ ଷ୍ଟେଟ’ ହାତରେ ଅଛି, ଯାହାକୁ ’ଏଷ୍ଟାବ୍ଲିସମେଣ୍ଟ’ ମଧ୍ୟ କୁହାଯାଏ। ଏହା ମୁଖ୍ୟତଃ ସେନା ଏବଂ ଗୁପ୍ତଚର ବ୍ୟବସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ବିଶେଷଜ୍ଞମାନଙ୍କ ଅନୁସାରେ ପାକିସ୍ତାନରେ ଯିଏ ସରକାରରେ ରହିଥାନ୍ତି ସେ ଏବଂ ତାଙ୍କ ରାଜନୈତି ଦଳ ପ୍ରକୃତ ପକ୍ଷେ ଏଷ୍ଟାବ୍ଲିସମେଣ୍ଟ ହାତରେ ଏକ କଣ୍ଢେଇ ସାଜିଥାନ୍ତି। କିନ୍ତୁ ଏହା ପରଦା ପଛରେ ରହିଥାଏ।

ଇମ୍ରାନ ଟିଭି ସାକ୍ଷାତକାରରେ ଏହା କହିଛନ୍ତି ଯେ ତାଙ୍କ ସରକାର ବିରୋଧରେ ଉପସ୍ଥାପିତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଆଭିମୁଖ୍ୟରେ ଏଷ୍ଟାବ୍ଲିସମେଣ୍ଟ ତାଙ୍କ ଆଗରେ ତିନୋଟି ବିକଳ୍ପ ରଖିଛି। ତାଙ୍କୁ ଅବିଶ୍ୱାସ ପ୍ରସ୍ତାବର ମୁକାବିଲା କରିବା, ପୁଣି ନିର୍ବାଚନ କରାଇବା କିମ୍ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାଡିବା ଆଦି ୩ ବିକଳ୍ପ ତାଙ୍କୁ ଦିଆଯାଇଛି।

ତେବେ ଇମ୍ରାନ୍‌ କହିଛନ୍ତି ଯେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବର ମୁକାବିଲା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ’ମୁଁ ତାଙ୍କୁ କହିଥିଲି ଯେ ଶୀଘ୍ର ନିର୍ବାଚନ ହେଉଛି ସର୍ବୋତ୍ତମ ବିକଳ୍ପ। ମୁଁ ଇସ୍ତଫା ଦେବା ବିଷୟରେ ମଧ୍ୟ ଚିନ୍ତା କରିପାରିବି ନାହିଁ ।

ଅବିଶ୍ୱାସ ପ୍ରସ୍ତାବର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯୁଦ୍ଧ କରିବି, ଯାହାଦ୍ୱାରା ଲୋକମାନେ ଦେଖିପାରିବେ ଯେ କେତେକ ନେତା କିପରି ନିଜର ବିଶ୍ୱସ୍ତତାର ବେପାର କରିଛନ୍ତି।

Share