ଯାତାୟାତ ପାଇଁ ୩ ପଞ୍ଚାୟତବାସୀ ହନ୍ତସନ୍ତ

ମାଥିଲି,୧୬ା୬(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକର ୩ଟି ପଞ୍ଚାୟତ କତାପାଲି, ବଣ୍ଡାରିପାଙ୍ଗମ ଓ ମେକା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଫଳରେ ୩ ପଞ୍ଚାୟତ ଲୋକେ ଯାତାୟାତ ଲାଗି ହନ୍ତସନ୍ତ ହେଉଛନ୍ତି। ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି, କିନ୍ତୁ ଗୁହାରିକଲେ କୌଣସି ସୁଫଳ ମିଳୁନାହିଁ। ହାଟ ବଜାର,ବ୍ୟାଙ୍କ, ତହସିଲ, ବ୍ଲକ, ମେଡିକାଲ ହେଉ ବା କଲେଜ ସେମାନଙ୍କର ନିତିଦିନିଆ କାମ ପଡ଼ିଥାଏ, ଏହା ହିଁ ଯାତାୟାତ ଲାଗି ଏକ ମାତ୍ର ମୁଖ୍ୟ ରାସ୍ତା। ନିତିଦିନ ୩ ପଞ୍ଚାୟତର ଲୋକେ ଏହା ଉପରେ ନିର୍ଭର କରନ୍ତି । ଗଁାକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ଆସିବାକୁ ହେଲେ ୩ ଘଣ୍ଟା ଲାଗୁଛି। ଗର୍ଭବତୀ ବା ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ରାସ୍ତା. ଖରାପ ଯୋଗୁ ଘଣ୍ଟା ଘଣ୍ଟା ଧରି ଗାଡି ଛିଡ଼ା ହୋଇ ରହିଥାଏ । ଫଳରେ ରୋଗୀଙ୍କୁ ହଟହଟା ହେବାକୁ ପଡୁଛି ।
୨୫ ବର୍ଷ ପୂର୍ବେ ୩ ପଞ୍ଚାୟତକୁ ସଂଯୋଗକରି ଏହି ରାସ୍ତା ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ କରା ନ ଯିବା ଫଳରେ ଏବେ ମରଣଯନ୍ତା ପାଲଟିଛି। ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାଦିନେ ଲୋକେ କଷ୍ଟରେ ଯାତାୟାତ କରୁଛନ୍ତି । ବର୍ଷାଦିନରେ ରାସ୍ତା ଏମାନଙ୍କ ଦୁର୍ଦ୍ଦଶାର କାରଣ ସାଜିଛି । ରାସ୍ତା ତମାମ ଖାଲଖମା ହୋଇ ପାଣି ଜମିଯାଉଛି । ଯାତାୟାତ ସମୟରେ ଦୁର୍ଘଟଣା ଘଟି ଜୀବନ ଯିବା ସହ ଖଣ୍ଡିଆ ଖାବରା ହୋଇ ଲୋକେ ମେଡ଼ିକାଲରେ ପଡ଼ୁଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।