ପ୍ରାର୍ଥୀ ଚୟନ ଚିନ୍ତାରେ ୩ ଦଳ

କଟକ ଅଫିସ,୩।୨: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସହରର ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ତେଣୁ ଆଶାୟୀଙ୍କ ମଧ୍ୟରେ ବେଶ୍‌ ତତ୍ପରତା ଦେଖାଗଲାଣି। ଚଳିତଥର କଟକ ମହାନଗର ନିଗମ(ସିଏମ୍‌ସି) କର୍ପୋରେଟର ଏବଂ ମେୟର ପଦବୀ ପାଇଁ ଚୂଡାନ୍ତ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ମେୟର ପଦ ଅଣସଂରକ୍ଷିତ ରହିଥିବାବେଳେ ୫୯ଟି ୱାର୍ଡ ମଧ୍ୟରୁ ୩୩ଟି ସଂରକ୍ଷିତ ଏବଂ ୨୬ଟି ୱାର୍ଡ ଅଣସଂରକ୍ଷିତ ରହିଛି। ସହରରେ ୩ଟି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଲାଗିପଡ଼ିଛନ୍ତି । ପ୍ରତ୍ୟେକ ଦଳ ପକ୍ଷରୁ ୱାର୍ଡରେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। ଭାଜପା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗିଥିବାବେଳେ କଂଗ୍ରେସ ଜନତାଙ୍କ ମତକୁ ଆଧାର କରି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଛି । ଏହାରି ମଧ୍ୟରେ ଦୁଇଦୁଇ ଥର ସିଏମ୍‌ସି ଦଖଲ କରିଥିବା ବିଜେଡି ଏଥର ମଧ୍ୟ ସିଏମସିକୁ ନିଜ ଅକ୍ତିଆରରେ ରଖିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ତେବେ ପ୍ରତ୍ୟେକ ଦଳ ପାଇଁ ପ୍ରାର୍ଥୀ ଚୟନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରତ୍ୟେକ ଦଳରେ ଏକାଧିକ ଆଶାୟୀ ରହିଥିବାବେଳେ ପ୍ରାର୍ଥୀ ଚୟନ ପରେ ବିରୋଧୀ ଗୋଷ୍ଠୀ ମୁଣ୍ଡ ଟେକିବା ଆଶଙ୍କା କରି ସମସ୍ତ ଦଳ ଏବେ ଚିନ୍ତାରେ। ସେହିପରି ମେୟର ପଦବୀ ଅଣସଂରକ୍ଷିତ ରହିଥିବାରୁ ପ୍ରତ୍ୟେକ ଦଳରେ ଏକାଧିକ ଆଶାୟୀ ରହିଛନ୍ତି । ଏପରି କି କିଛି ଆଶାୟୀ ଦଳ ପକ୍ଷରୁ ଟିକେଟ ନ ଦିଆଗଲେ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିବା ପରେ କାହାକୁ ମେୟର ପ୍ରାର୍ଥୀ ଭାବରେ ଟିକେଟ ଦେବେ ଦଳ ଏବେ ଚିନ୍ତାରେ । ଦଳଗୁଡିକ ପକ୍ଷରୁ ପ୍ରାର୍ଥୀ ଚୟନ କାର୍ଯ୍ୟ ସହ ନିର୍ବାଚନ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏବେ କେବଳ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା ।

Share