ଟୁମାକୁରୁ,୪।୧୧(ଆଇଏଏନ୍ଏସ୍): ସନ୍ତାନ ପ୍ରସବ ଲାଗି ଯାଇଥିବା ଜଣେ ମହିଳାଙ୍କୁ ଜିଲା ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ସେ ନିଜ ଘରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛି ସମୟରେ ଉଭୟ ନବଜାତକ ଓ ମାଆଙ୍କର ମୃତ୍ୟୁ ହୋଇଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀମାନଙ୍କ ନିଲମ୍ବନ ଦାବି କରିଛନ୍ତି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ମୃତଦେହକୁ କବର ଦେବେନାହିଁ ବୋଲି ମହିଳାଙ୍କ ପରିବାର ଓ ସମ୍ପର୍କୀୟମାନେ ଜିଦ୍ରେ ଅଟଳ ରହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ତାମିଲନାଡୁ ଟୁମକୁରୁ ସହରର ଭାରତୀନଗରରେ ରହୁଥିବା କସ୍ତୁରୀ(୩୦) ସନ୍ତାନ ପ୍ରସବ ଲାଗି ବୁଧବାର ସନ୍ଧ୍ୟାରେ ଜିଲା ହସ୍ପିଟାଲକୁ ଯାଇଥିଲେ। ତେବେ ଆଧାର ଏବଂ ମାତୃତ୍ୱ କାର୍ଡ ନ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ତାଙ୍କୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲ ଯିବାକୁ କୁହାଯାଇଥିଲା। ଟଙ୍କା ନ ଥିବାରୁ ମହିଳା ଜଣକ ଘରକୁ ଫେରି ତା ପରିଦିନ ସକାଳେ ଯମଜ ପୁତ୍ରସନ୍ତାନ ଜନ୍ମଦେଇଥିଲେ। ତେବେ ପ୍ରବଳ ରକ୍ତସ୍ରାବ ଯୋଗୁ ମାଆ ଓ ପରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିଲା।