୩ ଖଣି ପୁନଃ ଚଳାଇବାକୁ ଅନୁମତି

ଖଇରା,୧୬।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ବିଭିନ୍ନ ପଥର ଖଣି ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଏବେ ଖଣି ଓ ଇସ୍ପାତ ବିଭାଗ ଅଧୀନରେ ୩ଟି ଖଣିର ପୁନଃ ଚାଲୁ ପାଇଁ ଧୀରେ ଧୀରେ ବାଟ ପରିଷ୍କାର ହେଉଛି। ପ୍ରଥମ ପର୍ଯ୍ୟାୟରେ ଶାରୀଶୁଆ ବନ୍ଧନଟା ମୌଜାର ୫୧,୭୫ ଓ ୭୭ନମ୍ବର ଖଣିଗୁଡିକ ଚାଲିବାକୁ ଜିଲାପାଳଙ୍କଠାରୁ ଅନୁମତି ମିଳିଛି। ତେବେ ମାନୁଆଲ ଚାଲାଣ ପରିବର୍ତ୍ତେ ଇ-ପାସ୍‌ ଚାଲାଣ କଟାଯାଇ ଏହି ଲଘୁଜାତ ଖଣିଜ ପଦାର୍ଥ ବିକ୍ରି ପାଇଁ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଗୁରୁବାର ବାଲେଶ୍ୱର ଜିଲାରେ ପ୍ରଥମ କରି ଇ-ପାସ୍‌ ମାଧ୍ୟମରେ ପଥର ପରିବହନ କରାଯାଇଛି ା ବାଲେଶ୍ୱର ଜିଲା ଖଣି ଅଧିକାରିଣୀ ସନ୍ତୋଷୀ ପ୍ରଭା ସେଠୀ ଶୁଭାରମ୍ଭ କରିଥିବା ବେଳେ ଖଣି ନିଲାମଧାରୀ ବିମ୍ବାଧର ନାୟକ, ଅମୂଲ୍ୟ ପ୍ରସାଦ ଦାସ, ଅଶେଷ କୁମାର ଜେନା, ଡିଏସ୍‌ଏ ଭବାନୀ ଶଙ୍କର ମଲିକ ଓ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଲଘୁ ଖଣିଜ ସମ୍ପଦର ସୁପରିଚାଳନା ଓ ସ୍ବଚ୍ଛତା ପାଇଁ ଖଣି ଓ ଇସ୍ପାତ ବିଭାଗ ତରଫରୁ ଏହି ଅନଲାଇନ ପରିବହନ ପ୍ରକ୍ରିୟା ଚାଲୁ କରାଯାଇଥିବା ନେଇ ଖଣି ଅଧିକାରିଣୀ କହିଛନ୍ତି।

Share