ଫେରିଲା କଟକଣା: କଳାହାଣ୍ଡି-ଫୁଲବାଣୀର ୩ ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭବାନୀପାଟଣା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୩।୪: ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟର ୨ ଜିଲାର ୩ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲା ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି। ଅଞ୍ଚଳବାସୀଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି।

ଲିମସେର ଗ୍ରାମର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ସ୍ବାସ୍ଥ୍ୟ ବିଭାଗର ସୂଚନା ଆଧାରରେ ସେଠାକାର ସରପଞ୍ଚ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଏହା ୮ ତାରିଖ ମଧ୍ୟରାତ୍ର ଯାଏ ବଳବତ୍ତର ରହିବ। ସେହିଭଳି ଫୁଲବାଣୀ ପୌରାଞ୍ଚଳର ୨ନଂ ଓ୍ବାର୍ଡ ଡାକପାଲର ସ୍କୁଲ ସାହି ଏବଂ ୫ନଂ ଓ୍ବାର୍ଡର ୫ ଘରକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। ଡାକପାଲାର ସ୍କୁଲ ସାହିରୁ ୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫ନଂ ଓ୍ବାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥିନେଇ ଫୁଲବାଣୀ ଜିଲାପାଳ ଏହି ୨ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି।

ପ୍ରକାଶଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ଶହ ଛୁଇଁଛି କରୋନା ପଜିଟିଭ୍‌ ସଂଖ୍ୟା। ସେଥିରୁ ଖୋର୍ଦ୍ଧାରେ ସର୍ବାଧିକ ୭୭ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କଳାହାଣ୍ଡିରୁ ୨୯ ଏବଂ କନ୍ଧମାଳ ଜିଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share