ପୁଣି କରୋନା ସଂକ୍ରମଣ ବୃଦ୍ଧିର ୩ କାରଣ…

ଜେନେଭା, ୧୯।୩ : ପୃଥିବୀରେ ବିଭିନ୍ନ ଦେଶରେୀ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିିବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ବୃଦ୍ଧି ପାଇବା ଲାଗି ୩ ଟି କାରଣ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଥମ କାରଣ ହେଉଛି. କରୋନାର ସବ-ଭାରିଆଣ୍ଟ ଓମିକ୍ରନ ଏହାର ମୁଖ୍ୟ କାରଣ ପାଲଟିଛି।

ଓମିକ୍ରନ ସବଭାରିଆଣ୍ଟରେ ସ୍ପାଇକ ପ୍ରୋଟିନରେ ଜଟିଳ ପରିବର୍ତ୍ତନ ହୋଇନଥାଏ। ତେଣୁ ସଂକ୍ରମିତ ଚିହ୍ନଟ କରିବା ପାଇଁ ଦ୍ରୁତ ପିସିଆରପରୀକ୍ଷା ଜରୁରୀ। ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ମିଶ୍ରିତ ଓମିକ୍ରନ ଯାହା ପ୍ରଥମେ ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରେ ଚିହ୍ନଟ ହୋଇଛି। ଏହାକୁ ବିଏ.୧ ଏବଂ ବିଏ.୨ର ମିଶ୍ରିତ ରୂପ ଭାବେ ଚିହ୍ନଟ କରାଯାଇଛି।

ଦ୍ୱିତୀୟରେ ପ୍ରତିବନ୍ଧକ ହଟାଇବା ସହିତ ଜନସ୍ବାସ୍ଥ୍ୟ ପଦକ୍ଷେପରେ ହ୍ରାସ ଘଟିଛି। ମହାମାରୀର ଶୀର୍ଷ ସମୟରେ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଜନସାଧାରଣ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଦୋକାନ ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିଥିଲା ଏବଂ ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଥିଲା । କିନ୍ତୁ କରୋନା ମାମଲା ହ୍ରାସ ପାଇବା ଏବଂ ଟିକାକରଣର ସଂଖ୍ୟା ବଢ଼ିବା ମାତ୍ରେ ସରକାର ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କଟକଣାକୁ କୋହଳ କରିଥିଲେ। ଫଳରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି।

ତୃତୀୟ କାରଣ ହେଉଛି ଟିକା ଏବଂ ମହାମାରୀ ସଂକ୍ରମଣ ବିଷୟରେ ଭୁଲ ସୂଚନା। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଟିକାକରଣ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି ହେବା ଯୋଗୁ ବହୁ ଲୋକ ଟିକାକରଣରୁ ଦୂରେଇ ଯାଉଛନ୍ତି। ଏହା ବ୍ୟତୀତ, ଓମିକ୍ରନ ଆସିବା ପରେ କରୋନା ମହାମାରୀ ସମାପ୍ତ ହୋଇଛି ବୋଲି ମିଥ୍ୟା ପ୍ରଚାର କରାଯାଇଥିଲା। ଫଳରେ ଲୋକେ କଟକଣାକୁ ଅମାନ୍ୟ କରିଥିଲେ। ଏହା ଦ୍ୱାରା ପୁଣି ସଂକ୍ରମଣରେ ବୃଦ୍ଧି ଘଟିବାରେ ଲାଗିଛି।

Share