ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ। ମଙ୍ଗଳବାର ରାତିରେ ଗ୍ରାମର ରସିକ ମୁର୍ମୁଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ୨ ଜଣ ଅଜଣା ବ୍ୟକ୍ତି ଘରେ ପଶି ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ରସିକଙ୍କ ସ୍ତ୍ରୀ ଲକ୍ଷ୍ମୀ (୫୦) ଗୁରତର ହୋଇଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅଣ୍ଟା, ପେଟ, ଓ ହାତରେ ଗୁଳି ବାଜିଛି। ଗୁଳି ଶବ୍ଦ ଶୁଣି ପରିବାର ଲୋକେ ଉଠିଲା ବେଳକୁ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ପଳାଇଥିଲେ। ତେବେ ଏଯାବତ୍‌ ଗୁଳିକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।

Share