ବିପଦସଙ୍କୁଳ ରାସ୍ତା ଉପରେ ନିର୍ଭର କରୁଛନ୍ତି ୩ ସାହିବାସିନ୍ଦା

ପଟ୍ଟାଙ୍ଗି,୨୭ା୭(ଶରତ ଧଳ): ରାସ୍ତାଘାଟର ପୁନରୁଦ୍ଧାର ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର ବ୍ଲକ ପ୍ରଶାସନ କିଛି ହାତ ଗଣତି ଠିକାଦାରଙ୍କ ମାଧ୍ୟମରେ ପରିଚାଳିତ ହୋଇ ଲୋକଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଦିଗହରା କରୁଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୩୦୦ ମିଟର ଦୂରତାରେ ଥିବା ବସଷ୍ଟାଣ୍ଡ ନିକଟରୁ ବଡଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି। ଏହି ରାସ୍ତା ଉପରେ ବଡଗାଁ, ଟିକିରାସାହି, ଉପରସାହି ବାସିନ୍ଦା ନିର୍ଭର କରନ୍ତି। ମାତ୍ର ଏବେ ଏହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚତ୍ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଜନପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କେହି ସମସ୍ୟା ସମାଧାନ ଦିଗରେ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଏହି ରାସ୍ତାର କିଛି ଅଂଶ (୧୩୦ ମିଟର) ରାସ୍ତା ନିର୍ମାଣ ପାଇଁ ୨୦୧୭/୧୮ରେ ବିଜୁ କେବିକେ ଯୋଜନାରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର ରେକର୍ଡ ନଂ. ୨୪/୧୭। ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ୧୩୦ ମିଟର ରାସ୍ତା ନିର୍ମାଣ ଏଯାଏ ହୋଇପାରିନି। ଇତି ମଧ୍ୟରେ ୮ ଜଣ ବିଡ଼ିଓ ବ୍ଲକରୁ ଅନ୍ୟତ୍ର ବଦଳିହୋଇ ଚାଲିଗଲେଣି। ତଥାପି ରାସ୍ତାର ଅବସ୍ଥା ସୁଧୁରିନି। ଏ ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କହିଛନ୍ତି। ବ୍ଲକ ସଦର ମହକୁମା ରାସ୍ତାର ଯଦି ଏପରି ଅବସ୍ଥା ତେବେ ଗ୍ରାମାଞ୍ଚଳ ରାସ୍ତା ଗୁଡିକର ଅବସ୍ଥା କିପରି ରହିଥିବ ତାହା ସହଜରେ ଅନୁମେୟ। ଏନେଇ ବର୍ତ୍ତମାନ ବିଡ଼ିଓଙ୍କ ଦାୟିତ୍ୱରେ ଥିବା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ପଚାରିବାରୁ ଉକ୍ତ ସମସ୍ୟା କିପରି ସମାଧାନ ହୋଇପାରିବ ସେଥିପ୍ରତି ମୁଁ ଦୃଷ୍ଟି ଦେବି ବୋଲି କହିଥିଲେ ।

Share