ଭାଲୁ ଆକ୍ରମଣରେ ୩ ଗୁରୁତର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭା ଗ୍ରାମର ଦୁଇ ଜଣ ବୃଦ୍ଧା ଫଗନି ରାଉତ (୫୫) ଓ ତୁଳସା ରାଉତ (୬୫) ନିକଟସ୍ଥ ଜଙ୍ଗଲରେ ଶନିବାର ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସକାଳୁ ନିକଟସ୍ଥ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ପାଖ ଡଙ୍ଗରରୁ ୩ଟି ଭାଲୁ ଆକ୍ରମଣ କରିଥିବା ପ୍ରକାଶ କରିଛନ୍ତି। କିଛି ସ୍ଥାନୀୟ ଲୋକେ ଦେଖି ଦୁଇ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତର ବୃଦ୍ଧା ମହିଳାଙ୍କୁ ଜିଲା ସଦର ଡାକ୍ତରଖାନା ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ସେହିପରି କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ନୂଆଗାଁର ଯୁବକ କ୍ଷୀରସିନ୍ଧୁ ମାଝି (୩୫) ଗାଁ ନିକଟସ୍ଥ ନାଲାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁ ହାବୁଡ଼ରୁ କୌଣସି ମତେ ରକ୍ଷା ପାଇଥିବା ବେଳେ ତାଙ୍କୁ ମଧ୍ୟ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ମଧ୍ୟ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କୁ ପଚାରିବାରୁ ତଦନ୍ତ ପରେ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ।

Share