ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକିନେଇଥିଲେ। ଯୁବକଙ୍କ ଅଭିଯୋଗ ପରେ ଝାରସୁଗୁଡ଼ା ପୋଲିସ ତଦନ୍ତ କରି ସମ୍ପୃକ୍ତ ଭଉଣୀ ଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡଭଉଣୀ ଝରଣା ବାଦି (୩୨), ସାନଭଉଣୀ ରାକୁମାରୀ ବାଦି (୧୯) ଓ ଭାଇ ରାଜେଶ ବାଦି (୩୦)। ଏମାନଙ୍କ ଘର ଝାରସୁଗୁଡା ପୁରୁଣାବସ୍ତି ବାବୁପଡା ହୋଇଥିବାବେଳେ କିଛିବର୍ଷ ହେଲା ଏମାନେ ବରଗଡ ଜିଲା ପ୍ରଧାନପାଲି ଛକ ଗଣପତି ଆପାଟମେଣ୍ଟରେ ଭଡ଼ାରେ ରହୁଥିଲେ। ଏମାନଙ୍କ ନିକଟରୁ ପୋଲିସ ୧୨ଲକ୍ଷ ୯୬ହଜାର ଟଙ୍କା, ଓଆର୍‌୦୨ବିଜି୦୫୦୭ନଂ. କାର୍‌, ୩ ମୋବାଇଲ୍‌,୧ ଲାପଟପ୍‌, ନକଲି ଆଧାରକାର୍ଡ, ଭୋଟରକାର୍ଡ, ଲାମିନେଶନ ମେଶିନ, ଟଙ୍କା ଭାବେ ବ୍ୟବହାର କରୁଥିବା ପେପର ବଣ୍ଡଲ୍‌ ଆଦି ଜବତ କରିଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, ଠକାମିର ଶିକାର ହୋଇଥିବା ବ୍ରଜରାଜନଗର ଥାନା ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କ ଅଭିଯୋଗକୁ ନେଇ ଗତ ଶୁକ୍ରବାର ଝାରସୁଗୁଡା ଟାଉନ ଥାନାରେ ମାମଲା (ନଂ୫୨୧/୨୧) ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଥିଲା, ମାନସ ୮ମାସ ତଳେ ରେଳବାଇରେ ଚାକିରି କରିବା ପାଇଁ ପରୀକ୍ଷା ଦେଇଥିଲେ । ଏହାର ଫଳ ବାହାରି ନ ଥିବାବେଳେ ୩ମାସ ତଳେ ବଡଭଉଣୀ ଝରଣା ନିଜକୁ ରେଳବାଇର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମାନସଙ୍କୁ ଫୋନ୍‌ କରିଥିଲେ। ୧୪ଲକ୍ଷ ଟଙ୍କା ଦେଲେ ଚାକିରି ଦିଆଯିବ। ଏଥିରେ ମାନସ ବ୍ୟସ୍ତ ହୋଇ ଟଙ୍କା ଯୋଗାଡରେ ଲାଗିପଡିଲେ। ଟ୍ରାକ୍ଟର ବନ୍ଧକ, ସମ୍ପର୍କୀୟ ବଡଭାଇଙ୍କ ନିକଟରୁ ଧାରଉଧାର କରି ୧୪ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ଟଙ୍କା ଦେବାକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ରୁମ୍‌ରେ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ। ଅଭିଯୋଗ ପରେ ପୋଲିସ୍‌ ବରଗଡ ଜିଲା ଗଣପତି ଆପାର୍ଟମେଣ୍ଟରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଥିଲା।

Share