କୁଲଡିହାରେ ୩ ପ୍ରଜାତିର ବିଦେଶୀ ପକ୍ଷୀ

ନୀଳଗିରି, ୧୨।୧(ସ୍ବ.ପ୍ର.): ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ତାଙ୍କର ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି। କୁଲଡିହାକୁ ୩ପ୍ରଜାତିର ବିଦେଶୀ ପକ୍ଷୀ ଗ୍ରେହେଡେଡ୍‌ ଫିସ ଇଗଲ, ଗ୍ରେହେଡେଡ୍‌ ଲାପୁଇଂ, ବ୍ଲାକ ହେଡେଡ୍‌ ଆଇବିସ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶ ଓ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଅଭୟାରଣ୍ୟ ଭିତରେ ଥିବା ରିଷିୟା ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ସିନ୍ଦୁଆ, ତେଣ୍ଡା ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୪ଟି ଟିମ୍‌ ଦ୍ୱାରା ବୁଧବାର ପୂର୍ବାହ୍ନ ୬ଟାରୁ ପକ୍ଷୀଗଣନା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ସାମାଜିକ କର୍ମୀ ଅସିତ୍‌ ପ୍ରଧାନ, ସୁରେଶ କୁମାର ଭୋଳ, ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଶୁଭସ୍ମିତା ମଲ୍ଲିକ, ପାଏଲ୍‌ ଜେନା ଓ ଭୁବନେଶ୍ୱର ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟରୁ ଅର୍ପିତା ଘୋଷ, ଅଙ୍କିତା ଦାସ, ସଙ୍ଗୀତା ଦାସ ନାମକ ଛାତ୍ରୀଛାତ୍ରଙ୍କ ସହ ଫରେଷ୍ଟର ଉମାକାନ୍ତ ଜେନା, ଭାଗ୍ୟଶ୍ରୀ ଦ୍ୱିବେଦୀ, ପଦ୍ମାବତୀ ବେହେରା ଓ ଫରେଷ୍ଟଗାର୍ଡ, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଥିଲେ। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଉଦରଦଳିଆ ଆଦି ୪୭ ପ୍ରଜାତିର ଦେଶୀ ପକ୍ଷୀ ଓ ୩ ପ୍ରଜାତିର ନୂତନ ବିଦେଶାଗତ ପକ୍ଷୀ ଆସିଥିବା ଜଣାପଡ଼ିଛି। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ହ୍ରଦ ମଧ୍ୟରେ ଜଳ କମ୍‌ ଥିବାରୁ ବିଦେଶାଗତ ପକ୍ଷୀ ସଂଖ୍ୟା କମିଥିବା ବନବିଭାଗର ରିପୋର୍ଟରୁ ଜଣାପଡ଼ିଛି। ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶାଙ୍କ ନିର୍ଦ୍ଦେଶରେ ଫରେଷ୍ଟର, ଫରେଷ୍ଟଗାର୍ଡ, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହୋଇଛି।