ନ୍ୟାୟ ନ ପାଇ ବିଧାନସଭା ମୁହାଁ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଗାଁଠୁ ସହର ସବୁଠି ସତେଯେମିତି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଯାଉଛି। ଥାନାରୁ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୋଲିସର ତଦନ୍ତ ଠିକ୍‌ ସମୟରେ ଶେଷ ହେଉ ନାହିଁ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣୁ ନାହାନ୍ତି। ସେପଟେ ପ୍ରମାଣକୁ ଭିତ୍ତି କରି ଚାଲୁଥିବା କୋର୍ଟ କଚେରିରେ ବିଚାର ବ୍ୟବସ୍ଥାରେ ମଧ୍ୟ ବିଳମ୍ବ ହେଉଛି। ଦୀର୍ଘଦିନ ଧରି ନ୍ୟାୟକୁ ଅପେକ୍ଷା କରି ନିରାଶ ହେବା ପରେ ଶେଷରେ ଅନେକ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ବା ଆତ୍ମାହୁତି ଭଳି ପନ୍ଥାକୁ ଆପଣାଉଛନ୍ତି। ଗତ ୫ଦିନ ମଧ୍ୟରେ ବିଧାନସଭା ସମ୍ମୁଖରେ ୩ ଆତ୍ମାହୁତି ଉଦ୍ୟମ ଘଟଣାରୁ ଏଭଳି ପ୍ରସଙ୍ଗ ଏବେ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ‘ନ୍ୟାୟ କେଉଁଠି’। ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଏଫରି କି ଆଇନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ହେଲେ ଦିନକୁ ଦିନ ରାଜ୍ୟ ଆଇନ ଶୃଙ୍ଖଳାରେ ଅନେକ ଦୁର୍ବଳତା ପଦାକୁ ଆସୁଛି। ବହୁ କ୍ଷେତ୍ରରେ ପୋଲିସ ଅଫିସରଙ୍କ ଦାୟିତ୍ୱହୀନତା ପାଇଁ ଖାକି ନିନ୍ଦା ସାଉଁଟୁଛି। ସାଧାରଣ ଲୋକ ପୋଲିସ ଉପରେ ଆସ୍ଥା ହରାଉଛନ୍ତି। ଉପରିସ୍ଥ ଅଧିକାରୀ, ନେତାମନ୍ତ୍ରୀଙ୍କ ଭୟ ଓ ଚାପ ଯୋଗୁ ରାଜ୍ୟର ତୃଣମୂଳସ୍ତରରେ ତଦନ୍ତ ବାଟବଣା ହେଉଛି। ଟଙ୍କା ଓ କ୍ଷମତା ବଳରେ ସବୁ କିଛି ବି ଓଲଟପାଲଟ କରିବା ସହଜ ହେଉଛି। ଫଳରେ ବିଧାନସଭା ସମ୍ମୁଖରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, କ’ଣ ଜଣେ ସାଧାରଣ ନାଗରିକ ନ୍ୟାୟ ପାଇବା ପାଇଁ କ’ଣ ବିଧାନସଭାର ଅଧିବେଶନକୁ ଚାହିଁ ବସିବ?

Share