Categories: ରାଜ୍ୟ

କୁମ୍ଭୀର ଉଦ୍ଧାର ଘଟଣା: ଡେପୁଟି ରେଞ୍ଜରଙ୍କ ସମେତ ୩ ନିଲମ୍ବିତ

ଦିଗପହଣ୍ଡି,୧୪ା୯(ଡି.ଏନ.ଏ)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗ୍ରାମ ଚାଷଜମିରୁ ଶନିବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡିଓର (ଏସ୍‌ଓପି) ପାଳନ କରାଯାଇ ନ ଥିବା ଅଭିଯୋଗରେ ଦିଗପହଣ୍ଡିର ଭାରପ୍ରାପ୍ତ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ସମେତ ଫରେଷ୍ଟର ସିତାରାମ ପାତ୍ର ଏବଂ ଫେରଷ୍ଟଗାର୍ଡ ରାଜେଶ୍ୱର ବେହେରାଙ୍କୁ ସୋମବାର ନିଲମ୍ବିତ କରାଯାଇଛି।
ତଲାସିଙ୍ଗୀ ଗ୍ରାମର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଦିଗପହଣ୍ଡି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଗୋ-ମୁହାଁ ପ୍ରଜାତିର କୁମ୍ଭୀର ଉଦ୍ଧାର କରାଯାଇଥିଲା। କୁମ୍ଭୀରଟି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମରୁ କେନାଲ ପାଣିରେ ଭାସି ଆସିଥିଲା ଏବଂ ପରେ ତାକୁ ସୁରକ୍ଷିତ ଭାବେ ଡ୍ୟାମରେ ଛାଡ଼ିଦିଆଯାଇଛି ବୋଲି ଡେପୁଟି ରେଞ୍ଜର କହିଥିଲେ। କିନ୍ତୁ ଉଦ୍ଧାର କୁମ୍ଭୀରଟିକୁ ବନ ବିଭାଗ କର୍ମଚାରୀ ନୁହନ୍ତି ବାଇକରେ ଗାଁ ଲୋକ ଘୋଡ଼ାହାଡ଼ ଡ୍ୟାମରେ ନେଇ ଛାଡ଼ିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। କୁମ୍ଭୀରଟିକୁ ବାଇକରେ ଜଣେ ଯୁବକ ନେଉଥିବା ମୋବାଇଲ ଭିଡିଓରେ ରେକର୍ଡ କରାଯାଇଥିଲା। ଦିଗପହଣ୍ଡି ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି କିଛି ବନ୍ୟପ୍ରାଣୀ ବିଶେଷଜ୍ଞ ଓ ସାମାଜିକ କର୍ମୀ ଅଭିଯୋଗ କରିଥିଲେ।
କୁମ୍ଭୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନ ବିଭାଗ ପାରା କର୍ମଚାରୀବୃନ୍ଦ ପହଞ୍ଚତ୍ଥିଲେ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ନିଘା ନଥିଲା। ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ କୁମ୍ଭୀରଟିର ସ୍ବାସ୍ଥ୍ୟ ପରୀକ୍ଷା କରାନଯାଇ ତରବରିଆ ଭାବେ ଡ୍ୟାମରେ ଛଡ଼ା ଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ କୁମାର ନାୟକ ଡେପୁଟି ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ କୁମ୍ଭୀର ଉଦ୍ଧାର ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବନ କର୍ମଚାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଡେପୁଟି ରେଞ୍ଜରଙ୍କୁ ଯୋଗାଯୋଗ କରିବାରେ ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଅମୂଳକ ଓ ନିରାଧାର ବୋଲି ଜଣାଇଛନ୍ତି।

Share