ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହେବେ ୩ ପ୍ରତିଭା

ମ.ରାମପୁର,୨୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହାବୀର (ଏମ୍‌ଏସ୍‌ଏ) ଭବାନୀପାଟଣା ପକ୍ଷରୁ ହେବାକୁ ଥିବା ଚଳିତ ବର୍ଷର ବାର୍ଷିକ ଉତ୍ସବରେ ମ.ରାମପୁରର ୩ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡ଼ିଛି। ତଦନୁସାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲଳିତ କଳା ଶିଳ୍ପୀ ପୃଥୀରାଜ ସିଂଦେଓଙ୍କୁ ସମ୍ବର୍ଦ୍ଧିତ କରାଯିବ। ଦେଶ ତଥା ବିଦେଶରେ ତାଙ୍କର କଳାକୃତିର ଉଚ୍ଚ ପ୍ରଶଂସା ହୋଇଆସୁଛି। ତାଙ୍କୁ ଓଡିଶା ଲଳିତକଳା ଏକାଡେମୀ ପୁରସ୍କାର, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍କୋଲାରସିପ୍‌, ଜାପାନ ସରକାରଙ୍କ ସ୍କୋଲାରସିପ୍‌ ପ୍ରାପ୍ତ ହୋଇଛି। ସମ୍ପ୍ରତି ସେ ଗୁଜୁରାଟର ଭୁଜ୍‌ସ୍ଥିତ କୁଚପୋଟର ଅନୁଷ୍ଠାନରେ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମଦନପୁର ରାମପୁରର କବୟିତ୍ରୀ, ଲେଖିକା, ଅଧ୍ୟାପିକା, ପର୍ବତାରୋହୀ ଲିପ୍ସାମୟୀ ଦୁବେଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଦେଶ ଓ ବିଦେଶରେ ବିଭିନ୍ନ ପର୍ବତାରୋହଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୌରବାନ୍ବିତ ହୋଇଛନ୍ତି। ସମ୍ପ୍ରତି କର୍ଲାମୁଣ୍ଡା ବ୍ଲକ ତେରେସିଂହା କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଉକ୍ତ ଯୁବପ୍ରତିଭାଙ୍କୁ ପୂର୍ବରୁ ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମ.ରାମପୁର ମହାବିଦ୍ୟାଳୟ କାର୍ଯ୍ୟରତ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଉଦ୍ୟମରେ ଶ୍ରୀରାମମନ୍ଦିର ପ୍ରତିଷ୍ଠା, ରାମଲୀଳା ମହୋତ୍ସବ, କାମନା ଦଣ୍ଡର ପରିବର୍ଦ୍ଧିତ ରୂପରେଖରେ ନାଟକ ନିର୍ଦ୍ଦେଶନା ଓ ରଚନା ମାଧ୍ୟମରେ ସହର ଓ ଗ୍ରାମାଂଚଳରେ ଲୋକକଳାକୁ ଉଦଜୀବିତ କରିରଖିଛନ୍ତି। ପୂର୍ବରୁ ଯୁଗ ଯାତ୍ରୀ ସାହିତ୍ୟ ସଂସଦ, ଗ୍ଲୋବାଲ୍‌ ଲାଇଭ କ୍ରିଏଚର ଫାଉଣ୍ଡେସନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା। ସମ୍ପ୍ରତି ମ.ରାମପୁର ବାସିନ୍ଦା ୩ ପ୍ରତିଭାଙ୍କୁ ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯିବ।