୮ ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ୩ ଶିକ୍ଷକ

ତେନ୍ତୁଳିଖୁଣ୍ଟି, ୧୫।୧୦(ଚିଦାନନ୍ଦ ସାହୁ)ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ସ୍କୁଲରେ ଶୈକ୍ଷିକ ବାତାବରଣ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅଧୀନ ମେରେଇସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବାବେଳେ ସେମାନଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ୩ ଶିକ୍ଷୟିତ୍ରୀ ଶିକ୍ଷକ।
ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୫୩ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏଥିସହ ସ୍କୁଲ୍‌ରେ ମାତ୍ର ୨ଟି ଶ୍ରେଣୀଗୃହ ରହିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଗୋଟିଏ କକ୍ଷରେ ଓ ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ରଙ୍କୁ ଆଉ ଏକ କକ୍ଷରେ ପଢ଼ାଯାଏ। ବହୁବାର ଦାବି ପରେ ଗୋଟିଏ ଶ୍ରେଣୀ କକ୍ଷ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । କିନ୍ତୁ ତା’ ବି ୨ ବର୍ଷ ହେଲା କୌଣସି କାରଣରୁ ଫାଉଣ୍ଡେଶନରୁ ଆଗକୁ ଉଠିପାରିନି। କିଛିଦିନ ତଳେ ଜଣେ ଶିକ୍ଷକ ୨ଦିନ ଛୁଟିରେ ଥିଲେ। ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ମାଳି ହରିଜନ ଟ୍ରେନିଂ ପାଇଁ ନବରଙ୍ଗପୁର ଯାଇଥିଲେ। କେବଳ ଜଣେ ଶିକ୍ଷୟିତ୍ରୀ ୮ଶ୍ରେଣୀର ପିଲାଙ୍କୁ ସମ୍ଭାଳିବା ସହ ମଧ୍ୟାହ୍ନଭୋଜନ ପରିଚାଳନା କରୁଥିଲେ। ଏପରି କ୍ଷେତ୍ରରେ ପିଲାଙ୍କ ପାଠପଢ଼ା କିପରି ହେଉଥିବ ତାହା ବେଶ୍‌ ଅନୁମେୟ। ବର୍ଷେ ହେବ ସ୍କୁଲରେ ଏପରି ଭାବେ ପାଠପଢ଼ା ଚାଲିଛି। ପୂର୍ବରୁ ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ଦିଆଯାଇଥିଲା। କିଛିଦିନ ହେଲା ତାଙ୍କ ଡେପୁଟେଶନକୁ ବାତିଲ କରିଦିଆଯାଇଛି। ବିଦ୍ୟାଳୟକୁ ଆବଶ୍ୟକ ଶିକ୍ଷକ ଦେବାକୁ ଅନୁରୋଧ କରାଯାଉଥିବାବେଳେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପରିଚାଳନା ନିୟମ ପ୍ରକାରେ ଛାତ୍ରୀଛାତ୍ର ଅନୁପାତରେ ଏଠାରେ ୬ ଶିକ୍ଷକ ଓ ୮ଟି ଶ୍ରେଣୀଗୃହ ରହିବା କଥା। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖାଯାଉଛି। ଏ ନେଇ ଏବିଇଓ ମୋହନ ମଧୁସୂଦନ ବାଘଙ୍କୁ ପଚାରିବାରୁ ବ୍ଲକରେ ୮୩ଟି ବିଦ୍ୟାଳୟ ଏଭଳି ଦୁଇ କି ତିନି ଶିକ୍ଷକରେ ଚାଲିଛି। ଆମେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରାଇଛୁ। ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ତୁରନ୍ତ ଖାଲି ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।

Share