୮ଶ୍ରେଣୀର ୧୨୦ ଛାତ୍ରୀଛାତ୍ରଙ୍କ ପାଇଁ ୩ ଶିକ୍ଷକ

ନୂଆଗାଁ, ୧୯ା୯ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଖୋଲିଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି।
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେଇ ହଷ୍ଟେଲରେ ରଖ ମାଗଣାରେ ପାଠ ପଢାଇବା ନିମନ୍ତେ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଗୁମୀ ପଞ୍ଚାୟତ ଡିମିରିପଲ୍ଲୀଠାରେ ୧୯୫୦ରେ ଡିମିରିପଲ୍ଲୀ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ଛାତ୍ରୀବାସ ଖୋଲାଯାଇଛି। ଫଳରେ ଜିଲା ତଥା ଜିଲା ବାହାରୁ ଅନେକ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ିବା ସହ ସ୍ଥାନୀୟ ଛାତ୍ରୀଛାତ୍ର ମଧ୍ୟ ପାଠ ପଢୁଛନ୍ତି। ପ୍ରମମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଛାତୀଛାତ୍ର ପଢୁଥିବା ବେଳେ ସେମାନଙ୍କୁ ପଢ଼ାଇବା ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ୩ ଜଣ ଶିକ୍ଷୟିତ୍ରୀଶିକ୍ଷକ ନିୟୋଜିତ ହୋଇଛନ୍ତି। ଉକ୍ତ ସ୍କୁଲରେ ପୂର୍ବରୁ ୪ ଜଣ ଶିକ୍ଷକ ଥିବା ବେଳେ ସେଥିମଧ୍ୟରୁ ଗଣିତ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେଶନରେ ପଠାଇ ଦିଆଯାଇଛି। ତେବେ ୩ ଜଣ ଶିକ୍ଷକଙ୍କ ଦ୍ୱାରା ୮ଟି ଶ୍ରେଣୀରେ ପାଠ ପଢ଼ାଇବା ସମ୍ଭବ ହେଉ ନ ଥିବାରୁ ଅଭିଭାବକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ସେହିପରି ମାଇଛେଳି ପଞ୍ଚାୟତ ଗୋହିରିବାଦୁଠାରେ ୧୯୫୧ ରେ ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ସ୍କୁଲରେ ମଧ୍ୟ ଶିକ୍ଷକ ସମସ୍ୟା ଲାଗି ରହିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୧ ଜଣ ଛାତ୍ରୀଛାତ୍ର ରହିଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ କାମ କରୁଛନ୍ତି। ତେଣୁ କେତେବେଳେ ବ୍ଲକ କାର୍ଯ୍ୟାଳୟ ତ ଆଉ କେତେବେଳେ ଜିଲା ବିଭାଗୀୟ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ତେଣୁ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ୮ଟି ଶ୍ରେଣୀର ୧୧୧ ଜଣ ଛାତ୍ରୀଛାତ୍ରଙ୍କୁ ସମ୍ଭାଳୁଛନ୍ତି। ପୂର୍ବତନ ପ୍ରଧାନ ଶିକ୍ଷକ ଏପ୍ରିଲ ୨୦୨୩ରେ ଅବସରଗ୍ରହଣ କରିବା ପରେ ପ୍ରଧାନ ଶିକ୍ଷକ ଚୌକି ଖାଲିପଡ଼ିଛି। ଭବିଷ୍ୟତ ଗଢ଼ିବା ପାଇଁ ଜିଲା ବାହାରୁ ଛାତ୍ରୀଛାତ୍ର ଆସୁଥିବା ବେଳେ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ସେମାନଙ୍କୁ ନିରାଶ କରୁଛି। ଶିକ୍ଷକ ପାଇଁ ଦାବି କଲେ ମଧ୍ୟ ଅଧିକାରୀ ଶୁଣୁ ନ ଥିବା କହୁଛନ୍ତି ଅଭିଭାବକ। ଶିକ୍ଷକ ପଦବୀ ପୂରଣ ବାବଦରେ ନୟାଗଡ଼ ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକଙ୍କୁ ପଚାରିବାରେ ଶିକ୍ଷକ ଅଭାବ ଥିବା ସ୍କୁଲଗୁଡିକୁ ଅତି ଶୀଘ୍ର ଶିକ୍ଷକ ଯୋଗାଇ ଦେବାର ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି।