୩ ଶିକ୍ଷକ ନିଲମ୍ବିତ

ବାରିପଦା ଅଫିସ,୨୨।୩: ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ମୟୂରଭଞ୍ଜ ଜିଲାର ୩ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ଚାଲୁଥିବା ସମୟରେ ଜିଲା ସହକାରୀ ଶିକ୍ଷା ଅଧିକାରୀ ଅଚାନକ ବାରମାଇଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ୨ ଶିକ୍ଷକ ଏକ କୋଠରିରେ ବସିଥିବା ସେ ଦେଖିବାକୁ ପାଇଥିଲେ। ପରିଦର୍ଶନ ସମୟରେ ସେମାନଙ୍କ ନିକଟରୁ ସେ ଦିନରେ ପରୀକ୍ଷା ଥିବା ବିଷୟ ପୁସ୍ତକ ସହିତ ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରାଯାଉଥିବା କିଛି କାଗଜପତ୍ର ମଧ୍ୟ ଦେଖିବାକୁ ପାଇଥିଲେ। ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ ପରେ ବାରମାଇଲ ପରୀକ୍ଷା କେନ୍ଦ୍ରର ପରିଚାଳକ ହରିଶ୍ଚନ୍ଦ୍ର ପାଲଙ୍କ ସମେତ ୨ ଶିକ୍ଷକ ବସନ୍ତ କୁମାର ଦତ୍ତ ଓ ଆନନ୍ଦ ଦେଙ୍କୁ ନିଲମ୍ବିତ କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ସୁପାରିସ କ୍ରମେ ଉକ୍ତ ପରୀକ୍ଷା କେନ୍ଦ୍ରର ପରିଚାଳକ ପାଲଙ୍କୁ ଡିପିଆଇ ନିଲମ୍ବିତ କରିଥିବା ବେଳେ ଅନ୍ୟ ଦୁଇ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।