Categories: ଜାତୀୟ

ହଠାତ୍‌ ମାଡ଼ି ଆସିଲା ପାଣି, ୩ ୟୁପିଏସ୍‌ସି ଆଶାୟୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୮।୦୭: ରାଜଧାନୀ ଦିଲ୍ଲୀର ଏକ କୋଚିଂ ସେଣ୍ଟର ଭିତରକୁ ହଠାତ୍‌ ନାଳ ପାଣି ମାଡ଼ି ଆସିବାରୁ ଏଥିରେ ୩ ଜଣ ୟୁପିଏସ୍‌ସି ଆଶାୟୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଏବଂ ଜଣେ ପୁଅ ରହିଛନ୍ତି । ସେମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶର ଶ୍ରେୟା ଯାଦବ (୨୫) ଏବଂ କେରଳର ନବୀନ ଡେଲଭିନ୍‌ (୨୮)।

ମିଳିଥିବା ସୂଚନା ଅନୁସାରେ ଶନିବାର ସା ସମୟରେ ରାଉସ୍‌ କୋଚିଂ ସେଣ୍ଟରର ତଳ ମହଲାରେ ହଠାତ୍‌ ପାଣି ପଶି ଯାଇଥିଲା । ତଳ ମହଲା ଲାଇବ୍ରେରୀ ଥିବାରୁ ଏଠାରେ ୩୦ରୁ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ଡ୍ରେନ୍‌ର ପାଣି ହଠତ୍‌ ପ୍ରବଳ ବେଗରେ ମାଡ଼ିଆସିଥିଲା । ସଙ୍ଗେ ସଙ୍ଗେ ପାଣି ବେଞ୍ଚ ଉପର ଯାଏଁ ଚାଲି ଆସିବାରୁ ଛାତ୍ରୀଛାତ୍ରମାନେ ବେଞ୍ଚ ଉପରକୁ ଚଢ଼ି ଯାଇଥିଲେ । ଧିରେ ଧିରେ ପାଣି ବଢ଼ିଥିଲା । ଅଗ୍ନିଶମ ବିଭାଗ ଖବର ପାଇ ସେମାନଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲା । ହେଲେ ୪ ଘଣ୍ଟା ଫସି ରହିବା ପରେ ୨ ଜଣ ଝିଅ ଏବଂ ଜଣେ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କୋଚିଂ ସେଣ୍ଟରର ମାଲିକ ଏବଂ କୋଅର୍ଡିନେଟରଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।

Share