ଦେଶରେ କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ୩ କୋଭିଡ୍‌-୧୯ ପ୍ରତିଷେଧକ ଟୀକା

ନୂଆଦିଲ୍ଲୀ, ୧୫।୯: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ପଛକୁ ଭାରତ ୨ୟ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ନିକଟତର ହୋଇଥିବାବେଳେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ଖୁସି ଖବର ଆସି ପହଞ୍ଚିଛି। ଭାରତକୁ ଖୁବ୍‌ ଶୀଘ୍ର କରୋନା ଟୀକା ମିଳିପାରିବ। ଦେଶରେ ସମ୍ପ୍ରତି ୩ଟି କୋଭିଡ୍‌-୧୯ ପ୍ରତିଷେଧକ ଟୀକା କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି।
ସମ୍ପର୍କରେ ସୂଚନା ଦେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରି ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଡିଜି ବଳରାମ ଭାର୍ଗବ କହିଛନ୍ତି, କରୋନା ଭାଇରସ୍‌ (କୋଭିଡ୍‌-୧୯) ପ୍ରତିଷେଧକ ୩ଟି ଟୀକା ଭାରତରେ କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି। ସେମାନଙ୍କ ମଧ୍ୟରୁ କ୍ୟାଡିଲା ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଟୀକା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ କରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ସେହିଭଳି ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା ପ୍ରସ୍ତୁତ ଟୀକା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି କ୍ଲିୟରାନ୍ସ ପରେ ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବା ଉପରେ ରହିଛି। ପୁନେଭିତ୍ତିକ ଏସ୍‌ଆଇଆଇ ଦେଶର ୧୪ଟି ସ୍ଥାନରେ ୧୫୦୦ ସ୍ବେଚ୍ଛାସେବୀଙ୍କ ଉପରେ ୩ୟ ପର୍ଯ୍ୟାୟ ପରୀକ୍ଷା କରିବ ବୋଲି ଭାର୍ଗବ ଏହି ଅବସରରେ ସୂଚନା ଦେଇଛନ୍ତି। ତେବେ କରୋନା ଭାଇରସ୍‌ ଟୀକା ନିର୍ଦ୍ଦିଷ୍ଟ ଭାବେ କେବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରିବ ସେ ସମ୍ବନ୍ଧରେ ଭାର୍ଗବ କିଛି ସୂଚନା ଦେଇନାହାନ୍ତି।

Share