ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ମୁଢ଼ି ମିଲ୍‌ରେ ପଶିଗଲା ଟ୍ରେଲର, ୩ ଗୁରୁତର

ପାଟଣା, ୨୫।୧(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରେଲର ରାଜପଥ କଡ଼ରେ ଥିବା ମୁଢି ମିଲ୍‌ ଭିତରେ ପଶି ଯିବାରୁ ମିଲ୍‌ର ମାଲିକଙ୍କ ସମେତ ତାଙ୍କ ପତ୍ନୀ ଏବଂ ୩ ବର୍ଷ ର ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଇଟା ପଡିଯିବାରୁ ଶିଶୁ ପୁତ୍ର ଏବଂ ମା’ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସୂଚନାନୁଯାୟୀ, ଭୋର୍‌ରୁ ମୁଢି ମିଲ୍‌ ମାଲିକ ମୁଢି ଭାଜୁ ଥିବା ସମୟରେ ଟ୍ରେଲରଟି ଘର ଭିତରକୁ ହଠାତ ପଶି ଯାଇଥିଲା। ଫଳରେ ତତଲା କଢେଇ ସହ ତାଙ୍କ ଉପରେ ଇଟା ଖଣ୍ଡ ପଡି ଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଏକ ହୋଟେଲ ସମେତ ୩ ଘର ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ସହାୟତା ରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁ ଦୁଇଟି ମେନ୍‌ ରୋଡ଼ ସହ ସର୍ଭିସ ରୋଡ଼ ଅତିକ୍ରମ କରି ଘର ଭିତରେ ଟ୍ରେଲରଟି ପଶି ଯାଇଥିବା ଚର୍ଚ୍ଚା ହେଉଛି।

Share