୮ ମାସର ଶିଶୁକୁ ଗୁଳି ମାରିଲା ୩ ବର୍ଷର ଶିଶୁ

ଓ୍ବାଶିଂଟନ,୧୦।୪: କେବେ ଶୁଣିଛନ୍ତି ଜଣେ ୩ ବର୍ଷର ଶିଶୁ ଗୁଳି କରି ଜଣକ ଜୀବନ ନେଇପାରେ ବୋଲି। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଫଳରେ ଆମେରିକାର ବନ୍ଧୁକ ରଖିବା ସଂସ୍କୃତିର ବିଭତ୍ସ ତଥା ନିଷ୍ଠୁର ଚେହେରା ସାମ୍ନାକୁ ଆସିଛି। ଗତ ୧ ମାସ ମଧ୍ୟରେ ଆମେରିକାର ସର୍ବସାଧାରଣ ସ୍ଥାନରେ ଅନେକ ଗୁଳିକାଣ୍ଡ ଘଟିଛି। ମାତ୍ର କେହି କେବେ ଭାବି ନ ଥିବେ କି ଜଣେ ୩ ବର୍ଷର ଶିଶୁ ଆଉ ଜଣେ ଶିଶୁର ଜୀବନ ନେଇପାରେ। ମାତ୍ର ହ୍ୟୁଷ୍ଟେନରେ ଏମିତି ଘଟିଛି। ଦୁଇ ଭାଇ ଖେଳୁଥିବା ବେଳେ ୩ ବର୍ଷର ଶିଶୁ ୮ ମାସର ଭାଇକୁ ଗୁଳି କରି ହତ୍ୟା କରିଥିଲା। ଫଳରେ ପିଲାଟିର ମୃତ୍ୟୁ ଘଟିଥିଲା। ଗୁଳି ଚଳାଇବା ପରେ ଶିଶୁକୁ ତା’ର ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଡାକ୍ତରୀ ରିପୋର୍ଟରେ ପ୍ରକାଶ ପାଇଛି, ଗୁଳିଟି ୮ମାସ ଶିଶୁର ପେଟରେ ବାଜିଥିଲା। ଫଳରେ ତା’ର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଆମେରିକାର ୮୮ ପ୍ରତିଶତ ଲୋକଙ୍କ ନିକଟରେ ବନ୍ଧୁକ ଥାଏ। ପ୍ରତିବର୍ଷ ବନ୍ଧୁକ ସଂଖ୍ୟା ବି ବଢ଼ିଚାଲିଛି। ଆମେରିକାରେ ବନ୍ଧୁକ ଲାଇସେନ୍ସ ସହଜରେ ମିଳିଯାଉଥିବାରୁ ପ୍ରତ୍ୟେକ ଘରେ ଲୋକ ବନ୍ଧୁକ ରଖିଛନ୍ତି। ଫଳରେ ପ୍ରତିଦିନ ଅଜାଣତରେ ହେଉ କି ଜାଣତରେ ଆମେରିକାରେ ଶହ ଶହ ଗୁଳି ଫୁଟି ଅନେକ ମୃତାହତ ହେଉଛନ୍ତି। ଏଥିରେ ରୋକ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Share