Advertisement

ବିଲେଇକୁ ଡରି ଦୌଡୁଥିଲେ, ଗରମ କ୍ଷୀର ପାତ୍ରରେ ପଡ଼ିଗଲେ ୩ ବର୍ଷର ଝିଅ: ଚାଲିଗଲା ଜୀବନ

ଜୟପୁର,୨୭।୩: ରାଜସ୍ଥାନର ଡିଗ ଜିଲାର କମାନ ସହରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ ତିନି ବର୍ଷର ଝିଅ ବିଲେଇକୁ ଡରି ଦୌଡି ଯାଉଥିବାବେଳେ ପାଖରେ ରଖାଯାଇଥିବା ଗରମ କ୍ଷୀର ପାତ୍ରରେ ପଡ଼ିଯାଇଥିଲେ। ଗୁରୁତର ଭାବରେ ପୋଡ଼ିଯାଇଥିବା ଝିଅଟି ପରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛି। ପୋଲିସ ଗୁରୁବାର ଏହି ସୂଚନା ଦେଇଛି। ପୋଲିସ କହିଛି, ଝିଅ ସାରିକାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ରେଫର କରାଯାଇଥିଲା ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାରିକାଙ୍କ ପରିବାର କମାନ ସହରର ଆଗାମା କଲୋନୀରେ ରୁହନ୍ତି। ସାରିକାଙ୍କ ଜେଜେବାପା ହରିନାରାୟଣ କହିଛନ୍ତି, ଝିଅ ଘରର ଛାତ ଉପରେ ଖେଳୁଥିଲେ। ତାଙ୍କ ମା’ ହେମଲତା କ୍ଷୀର ଫୁଟାଇ ଚୁଲି ପାଖରେ ପାତ୍ର ରଖିଥିବା ସମୟରେ ଏକ ବିଲେଇ ଛାତ ଉପରକୁ ଆସିଗଲା। ବିଲେଇକୁ ଦେଖିବା ପରେ ସାରିକା ପଛକୁ ଫେରି ଦୌଡ଼ିବାକୁ ଲାଗିଲେ, ଯାହା ଫଳରେ ସେ ଗରମ କ୍ଷୀର ପାତ୍ର ସହିତ ଧକ୍କା ହୋଇ ସେଥିରେ ପଡ଼ିଗଲେ।

ଝିଅଟିର ଜୋରରେ ଚିତ୍କାର ଶୁଣି, ତାଙ୍କ ମା’ ଏବଂ ଭାଇ ସତ୍ୟମ ଘଟଣାସ୍ଥଳକୁ ଧାଇଁ ଆସିଲେ। ଦୁର୍ଘଟଣାରେ ତାଙ୍କ ଗୋଡ଼ ଏବଂ ପଛପଟ ଗଭୀର ଭାବରେ ପୋଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ କମାନର ସରକାରୀ ଡାକ୍ତରଖାନାକୁ ନେଇଗଲେ, ସେଠାରୁ ତାଙ୍କୁ ଭରତପୁରର ଆରବିଏମ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଜୟପୁରକୁ ରେଫର କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share