ଇଣ୍ଟରନେଟ କାଟିଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ, ସରକାରଙ୍କ ନୂଆ ନିୟମ…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଇଣ୍ଟରନେଟ ଯୋଗାଇବାକୁ ଚାହୁଁଛନ୍ତି। ଏଥିପାଇଁ ମୋଦି ସରକାର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ ସହିତ ସଂଯୋଗ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଉଛି। ଯେଉଁମାନେ ଏହି ଡିଜିଟାଲ ସେବାକୁ କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କ ପ୍ରତି କଠୋର ପଦକ୍ଷେପ ନେବାକୁ ସରକାର ନୂଆ ଆଇନ ଆଣିଛନ୍ତି। ସାଧାରଣତଃ ଦେଖାଯାଏ ଭାରତରେ ବିଭିନ୍ନ ଆନ୍ଦୋଳନ ସମୟରେ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥାଏ। କିନ୍ତୁ ଏବେ ଏପରି କଲେ ଚେଲ ଦଣ୍ଡ ଭୋଗିବାକୁ ପଡିବ ।

ଟେଲିକମ ବିଲ ୨୦୨୩ରେ କେନ୍ଦ୍ର ସରକାର ନୂତନ ବ୍ୟବସ୍ଥା ଯୋଡିଛନ୍ତି, ଯାହା ଅନୁଯାୟୀ ଯଦି ଜଣେ ବ୍ୟକ୍ତି ମୋବାଇଲ ସଂଯୋଗ ତାର ଏବଂ ଅପ୍ଟିକାଲ ଫାଇବର ଭଳି ଡିଜିଟାଲ ଭିତ୍ତିଭୂମି କାଟନ୍ତି କିମ୍ବା ଆନ୍ଦୋଳନ ଏବଂ ଦଙ୍ଗା ସମୟରେ ମୋବାଇଲ ଟାୱାରକୁ ନଷ୍ଟ କରି ଇଣ୍ଟରନେଟ ବ୍ୟାହତ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏଥିସହ ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ଜରିମାନା ସହିତ ୩ ବର୍ଷ ଜେଲ ପଠାଯାଇପାରିବ।

ଭାରତନେଟ ଯୋଜନା ଅନ୍ତର୍ଗତ ସରକାର ଏପର୍ଯ୍ୟନ୍ତ ୧.୯୪ ଲକ୍ଷ ଗ୍ରାମକୁ ସଂଯୋଗ କରିଛନ୍ତି। ଏହି ଯୋଜନାରେ ୧,୩୯,୫୭୯ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ମୋଦି ସରକାର ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି।

Share