୩୦ କୋଟି ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟିକା: ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୭।୧୦: ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଳୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଦିଆଯିବ। ପ୍ରତିଷେଧକ ଟିକାକୁ ଅନୁମୋଦନ ମିଳିବା ପରେ ଟିକା ଦେବା କାର୍ଯ୍ୟ ଆରମ୍ଭ କରାଯିବ। ପ୍ରଥମେ ୪ଟି ବର୍ଗର ଲୋକଙ୍କ ଟିକା ଦିଆଯିବ। ସେମାନଙ୍କ ମଧ୍ୟରେ ୫୦ରୁ ୭୦ ଲକ୍ଷ ଆଶାକର୍ମୀ, ଡାକ୍ତର ଓ ନର୍ସ ଆଦି ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଲକ୍ଷ ଏମ୍‌ବିବିଏସ୍‌ ଡାକ୍ତର, ୮ ଲକ୍ଷ ଆୟୁଷ ଡାକ୍ତର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ଏଏନ୍‌ଏମ୍‌ ଏବଂ ୧୦ ଲକ୍ଷ ଆଶାକର୍ମୀ ରହିଛନ୍ତି। ସେହିପରି ୨ କୋଟିରୁ ଅଧିକ କ୍ଷେତ୍ରୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଯୋଜନା ରହିଛି। ସେମାନେ କରୋନା ଲଢ଼େଇର ସମ୍ମୁଖରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ୫୦ ବର୍ଷରୁ ଅଧିକ ବୟସ୍କ ୨୬ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ ବୋଲି କୁହାଯାଉଛି। ସେହିପରି ୫୦ ବର୍ଷରୁ କମ୍‌ ବୟସ୍କ ଲୋକ ଯେଉଁମାନଙ୍କଠାରେ ଅନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି, ସେମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ୪୫ ଲକ୍ଷ ପୋଲିସ ଏବଂ ୧୫ ଲକ୍ଷ ସେନା କର୍ମଚାରୀଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବାର ଯୋଜନା କରାଯାଇଥିବା କୁହାଯାଉଛି। ତାଲିକା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି।

Share