ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସମସ୍ତେ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ମୃତଦେହ କୂଳ ନିକଟରେ ଭାସୁଥିବା ଦେଖିବାକୁ ପାଇଥିଲେ।
ଏକ ରିପୋର୍ଟରୁ ପ୍ରକାଶ, ଇଟାଲୀର ଦକ୍ଷିଣ ଉପକୂଳରୁ ଏକ ଡଙ୍ଗା ବୁଡ଼ିଯିବା ପରେ ଇଟାଲୀ ତଟରକ୍ଷୀ ବାହିନୀ ପ୍ରାୟ ୩୦ଟି ମୃତଦେହ ଦେଖିଥିଲେ। ବନ୍ଦର ଅଧିକାରୀ କହିଛନ୍ତି, ଡଙ୍ଗାଟି ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା।
ସୂଚନାନୁସାରେ, ପ୍ରାୟ ୪୦ ଜଣ ଜୀବିତ ଥିବା ଜଣାପଡ଼ିଛି। ଉଦ୍ଧାର ଅଧିକାରୀ ଲୁକା କାରୀ କହିଛନ୍ତି, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ମୃତଦେହ ସଂଖ୍ୟା ୩୦ରେ ପହଞ୍ଚିଛି। ମୃତକମାନଙ୍କ ମଧ୍ୟରେ କିଛି ମାସର ଶିଶୁ ଥିବା ଜଣାପଡ଼ିଛି। ଏହି ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବାହିନୀ, ସୀମା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ସାମିଲ ଅଛନ୍ତି।