ଖଡ଼ି, ଇକଡ଼ ବାଡ଼ିରେ ୩୦ଫୁଟ୍‌ ଉଚ୍ଚରେ ନିଆଁ

ଭୋଗରାଇ, ୧୫।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁଳିଦା ପଞ୍ଚାୟତ କୁଳିଦା, ମଧୁପୁର, ଚାନ୍ଦକୁସୁମି, ମହାଦିଆ ଆଦି ଗ୍ରାମର ଜମିରେ ପାନଚାଷ ପାଇଁ ବ୍ୟବହୃତ ହେଉଥିବା ଖଡ଼ି, ଇକଡ଼ ବାଡ଼ିରେ ୩୦ ଫୁଟ ଉଚ୍ଚରେ ନିଅଁା ଜଳୁଛି। ଶୁକ୍ରବାର ମଧ୍ୟାହ୍ନରୁ ନିଆଁ ଲାଗିଥିଲେ ମଧ୍ୟ ଅଗ୍ନିଶମ ବାହିନୀ ତୁରନ୍ତ ସେଠାକୁ ଯାଇ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇ ନ ଥିଲେ। ଏପରିକି ଖଡ଼ି ବାଡ଼ିରେ ନିଆଁ ଲାଗିଥିବା ପାଉଁଶ ୪କି.ମି. ପରିଧି ମଧ୍ୟରେ ଉଡ଼ିଆସି ଗାଁ ମଧ୍ୟରେ ପଡୁଛି।
ସୂଚନା ଅନୂଯାୟୀ, କୌଣସି କାରଣରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ପ୍ରଥମେ ମଧୁପୁର ଓ କୁଳିଦା ଗ୍ରାମ ଖଡ଼ିବାଡ଼ିରେ ନିଆଁ ଲାଗିଥିଲା। ପରେ ମହାଦିଆ, ଚାନ୍ଦକୁସୁମୀ ଗ୍ରାମ ଖଡ଼ିବାଡ଼ିକୁ ନିଆଁ ବ୍ୟାପିଥିଲା। ଏ ସମସ୍ତ ଗ୍ରାମର ପ୍ରାୟ ୫ଶହ ଚାଷୀଙ୍କର ୭ଶହରୁ ଊର୍ଦ୍ଧ୍ୱ ଏକର ବିଲରେ ଖଡ଼ି ଇକଡ଼ ଚାଷ ହୋଇଥିଲା। ଆନୁମାନିକ ଦେଢ଼ କୋଟି ଟଙ୍କାର କ୍ଷତି ହୋଇଥିବାର ଆକଳନ କରାଯାଇଛି। ଘଟଣାସ୍ଥଳକୁ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ଅନନ୍ତ ଦାସ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ବ୍ଲକ ଚେୟାରମ୍ୟାନ୍‌ ପ୍ରବୀର କୁମାର ଗିରି ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Share