ଦୋକାନରୁ ୩୦ଲକ୍ଷର ଗହଣା ଚୋରି: ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯।୨: ସାନବଜାର ଛକ ସାନ୍ତାରାଣୀ ଇଷ୍ଟେଟରେ ଥିବା ଏକ ସୁନା ଦୋକାନରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ରୁପା ସାମଗ୍ରୀ ଚୋରି ହୋଇଥିଲା। ଅଭିଯୋଗ ପରେ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୪୭/୨୩) ରୁଜୁ କରିଥିଲା। ପୋଲିସ ତଦନ୍ତ ବେଳେ ଦୋକାନର ମ୍ୟାନେଜର ସୁନାଗହଣା ଚୋରି କରିଥିବା ସନ୍ଦେହ କରୁଛି। ଅନ୍ୟପକ୍ଷେ ଘଟଣା ପରଠାରୁ ସମ୍ପୃକ୍ତ ମ୍ୟାନେଜର କାମକୁ ଫେରି ନ ଥିବା ବେଳେ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିବା ପୋଲିସ କହିଛି। ଦୋକାନର ମାଲିକ ଏବଂ ମ୍ୟାନେଜରଙ୍କ ଘର କୋଲକାତାରେ। ଘଟଣା ପରେ ମ୍ୟାନେଜର ଫେରାର ଥିବାରୁ କୋଲକାତାରେ ଥିବା ସନ୍ଦେହ କରି ପୋଲିସ ଗୁପ୍ତଚର ନିୟୋଜିତ କରିଥିବା ଜଣାପଡିଛି।ପୋଲିସ ମ୍ୟାନେଜରଙ୍କ ଗତିବିଧି ନଜର ରଖିଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କହିଛି।

ଘଟଣାରୁ ପ୍ରକାଶ ଯେ କୋଲକାତାର ନୂର ଆଲମ୍‌ ମଲ୍ଲିକ ବ୍ରହ୍ମପୁର ସାନବଜାର ଛକରେ ଏକ ସୁନା ଦୋକାନ କରି ବ୍ୟବସାୟ କରୁଛନ୍ତି। ଗତ ୧୪ ତାରିଖ ସକାଳେ ସେ ଦୋକାନ ଖୋଲିବାକୁ ଆସିଥିଲେ। ହେଲେ ଦୋକନ ଗ୍ରୀଲ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଭିତରକୁ ଯାଇ ଦେଖିବା ବେଳେ ସେଠାରେ ଥିବା ପୁରୁଣା ସୁନା ୨୮୫ ଗ୍ରାମ, ଚେକି ସୁନା ୩୮୦ ଗ୍ରାମ, ରୁପା ୨ କେଜି ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ସେହିପରି ଦୋକାନ ଭିତରେ ଲାଗିଥିବା ସିସି ଟିଭି କ୍ୟାମେରା ଏବଂ ଡିଭିଡି ମେଶିନ ମଧ୍ୟ ଚୋରି ହୋଇଥିବା ଜଣାପଡିଥିଲା। ଏନେଇ ଦୋକାନ ମାଲିକ ନୂର ଆଲମ୍‌ ବଡବଜାର ଥାନାରେ ଅଭିଯୋଗ କରିଥିଲେ।

Share