୨୪ ଘଣ୍ଟାରେ ୩୦% ଅଧିକ ସଂକ୍ରମିତ

ନୂଆଦିଲ୍ଲୀ, ୧୯ା୧୧: ଭାରତରେ କରୋନା ସଂକ୍ରମଣ ହାର କମିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ୩୦% ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ମଙ୍ଗଳବାର ୨୯,୧୬୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବୁଧବାର ହଠାତ୍‌ ଏହା ବୃଦ୍ଧିପାଇ ୩୮,୬୧୭ରେ ପହଞ୍ଚିଛି। ଦୀପାବଳି, ଭାଇଦୂଜ ଉତ୍ସବ, ବିହାର ନିର୍ବାଚନ ଯୋଗୁ ସଂକ୍ରମଣ ହାର ବୃଦ୍ଧି ପାଇଥିବା କୁହାଯାଉଛି। ଅପରପକ୍ଷରେ ସାମ୍ପଲ ଟେଷ୍ଟ ବଢ଼ୁଥିବାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିବା ଆଇସିଏମ୍‌ଆର୍‌ ପ୍ରକାଶ କରିଛି। ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯.୧୨ ଲକ୍ଷକୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧.୩୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୪୭୪ ଜଣ ଜୀବନ ହାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି। ସୁସ୍ଥ ହାର ୯୩%ରୁ ଅଧିକ ରହିଥିଲେ ହେଁ ସକ୍ରିୟ ମାମଲା ୪,୪୬,୮୦୫ ରହିଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।
ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପରିସ୍ଥିତି ଏବେବି ଜଟିଳ ରହିଛି। ସଂକ୍ରମଣ ସ୍ଥିତି ଓ ଆଇସିୟୁ ବେଡ୍‌ ଅଭାବ ଯୋଗୁ ସମସ୍ୟା ଦେଖାଦେଇଛି। ଦିଲ୍ଲୀ ସରକାର ସଂକ୍ରମଣକୁ ରୋକିବା ଲାଗି କଟକଣା ଲାଗୁ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବାହାଘରରେ ସର୍ବାଧିକ ୫୦ ଲୋକଙ୍କ ଉପସ୍ଥିତି, ମାର୍କେଟ ଅଞ୍ଚଳରେ ଲକ୍‌ଡାଉନ୍‌ ଲାଗୁ ନେଇ ରାଜ୍ୟପାଳ ଅନିଲ ବୈଜାଲ ଓ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷରେ ମହାରାଷ୍ଟ୍ର, ବିହାର, ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ୨୦ରେ ହେବାକୁ ଥିବା ଛଟ୍‌ପୂଜା ଉପରେ କଟକଣା ଲଗାଯାଇଛି। ମହାମାରୀ କରୋନାରୁ ବର୍ତ୍ତିବା ଲାଗି ବିଶ୍ୱବ୍ୟାପୀ ଟିକା ପ୍ରସ୍ତୁତି ଚାଲିଥିବାବେଳେ ଆମେରିକା ଡ୍ରଗ୍‌ମେକର ଫାଇଜର ଓ ମଡର୍ନା ଏବଂ ରୁଷିଆ ଟିକା ସ୍ପୁଟିକନିକ୍‌ ଭି’ ଆଶା ସଂଚାର କରିଛି। ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଟିକା ପ୍ରସ୍ତୁତିରେ ମାତିଛନ୍ତି।

Share