ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାଳମାଳ ଫେକ୍‌ ଆଇଡି, ଦ୍ୱନ୍ଦ୍ୱରେ ସିଏମଓ ଅଫିସ

ଭୁବନେଶ୍ୱର,୧୩।୬: ଓଡ଼ିଶାକୁ ମିଳିଛି ପୁଣି ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭାଜପା ବିଧାୟକ ମୋହନ ଚରଣ ମାଝି। ତେବେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ ମିଡିଆ ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟ୍ୟାଗ୍‌ କରାଯାଇ ଶୁଭେଚ୍ଛା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନଙ୍କ ବିଭିନ୍ନ ଆକାଉଣ୍ଟକୁ ଟ୍ୟାଗ୍‌ କରୁଛନ୍ତି। ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ଶପଥ ନେବା ପରଠାରୁ ଏବେଯାଏ ମୋହନଙ୍କ ନାମରେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇଛି। ଆଉ ଏଥିରେ ବୁଧବାର ଠାରୁ ନୂଆନୂଆ ପୋଷ୍ଟ ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗସ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀକୁ ନେଇ ମଧ୍ୟ ଳଗାତାର ପୋଷ୍ଟ କରାଯାଉଛି। ଏପରିକି ସିଏମଓ ଓଡ଼ିଶା ଓ ଭାଜପା ଓଡ଼ିଶା ଏକ୍ସ ହ୍ୟାଣ୍ଡେଲ ମଧ୍ୟ ଭିନ୍ନ ଭିନ୍ନ ଆଇଡିକୁ ଟ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ସରକାରୀ ଟ୍ବିଟର ହ୍ୟାଣ୍ଡେଲ ଜଣାପଡୁ ନ ଥିବାବେଳେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରକୃତ ଆଇଡି କେଉଁଟି ଜଣାପଡୁ ନଥିବାରୁ ୟୁଜର୍ସ ତାକୁ ଫଲୋ ମଧ୍ୟ କରୁଛନ୍ତି।

ତେବେ @MohanMOdisha ନାମକ ଆକାଉଣ୍ଟକୁ ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ରିଅଲ ଆଇଡି କୁହାଯାଉଛି। ଏହି ଆକାଉଣ୍ଟକୁ ୧୯ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି।

Share