୩୦ ସୁଦ୍ଧା ୩୦

ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ ଏହି ‘୩୦ ସୁଦ୍ଧା ୩୦’ ପ୍ରସଙ୍ଗଟି ଏକ ଗମ୍ଭୀର ଆଲୋଚନାର ବିଷୟବସ୍ତୁ ପାଲଟିଛି। ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଛନ୍ତି ଯେ ଆମ ଗ୍ରହର ପ୍ରକୃତି ଓ ପରିବେଶ କ୍ରମେ ଏକ ସଙ୍କଟମୟ ପରିସ୍ଥିତି ଦିଗରେ ଗତି କରୁଛି।
ଜଳ, ସ୍ଥଳ, ବାୟୁ ଏବଂ ଶବ୍ଦର ଅନିୟନ୍ତ୍ରିତ ପ୍ରଦୂଷଣ, ପ୍ରାକୃତିକ ପରିସଂସ୍ଥାଗୁଡ଼ିକର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ, ସମ୍ବଳର ଅତ୍ୟଧିକ ଶୋଷଣ, ବାହ୍ୟ ଜୀବଜାତିଙ୍କର ସ୍ଥାନୀୟ ବାସସ୍ଥଳୀରେ ପ୍ରବେଶ, ଜୈବବିବିଧତାର ହ୍ରାସ, ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟାରେ ଧରିତ୍ରୀ କ୍ରମଶଃ ଜର୍ଜରିତ ହୋଇଚାଲିଛି।
ଏପରି ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟିର ମୂଳରେ ରହିଛି ବିଜ୍ଞତାର ପ୍ରୟୋଗ ବିନା ସାଧିତ ମାନବୀୟ କାର୍ଯ୍ୟଧାରାର ନକାରାତ୍ମକ ପ୍ରଭାବ ତଥା ଅସହନୀୟ ମାର୍ଗରେ ବିକାଶ ପ୍ରକ୍ରିୟା ଏବଂ ଅର୍ଥନୈତିକ ପ୍ରଗତିର ପ୍ରବର୍ତ୍ତନ। ଏହି ପୃଷ୍ଠଭୂମିରେ ଯଦି ପ୍ରଚଳିତ ବିନାଶ ପ୍ରକ୍ରିୟାର ଧାରା ଜାରି ରହେ, ତେବେ ଆଗାମୀ ପରିସ୍ଥିତି ଅଧିକ ଗମ୍ଭୀର ହେବା ସହ ଜୈବବିବିଧତାର ଅବକ୍ଷୟ ଆହୁରି ତ୍ୱରାନ୍ବିତ ହେବ। ସର୍ବାଧିକ ବୈଜ୍ଞାନିକ ଅନୁସନ୍ଧାନ ଦର୍ଶାଏ ଯେ ପୃଥିବୀର ସ୍ଥଳଭାଗ ଏବଂ ମହାସାଗରର ଅତି କମ୍‌ରେ ୩୦ ପ୍ରତିଶତ ଅଞ୍ଚଳର ସୁରକ୍ଷା ଓ ସଂରକ୍ଷଣ ସାଧନ ଦ୍ୱାରା ଜୈବବିବିଧତା ହ୍ରାସକୁ ନିୟନ୍ତ୍ରିତ କରିବା ଏବଂ ବିଲୁପ୍ତକୁ ରୋକିବା ସହିତ ବର୍ଦ୍ଧିତ ଅଙ୍ଗାରକାମ୍ଳକୁ ଗଚ୍ଛିତ କରିବା, ଭବିଷ୍ୟତର ମହାମାରୀକୁ ରୋକିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହେବ।
ସମ୍ପ୍ରତି ୯୦ରୁ ଅଧିକ ରାଷ୍ଟ୍ରଙ୍କର ଏକ ଅନ୍ତଃରାଷ୍ଟ୍ରୀୟ ଗୋଷ୍ଠୀ ଏହି ମର୍ମରେ କାର୍ଯ୍ୟ ସମ୍ପାଦନ କରୁଛି, ଯାହା ‘ପ୍ରକୃତି ଏବଂ ଲୋକଙ୍କ ପାଇଁ ଉଚ୍ଚ ଅଭିଳାଷ ସମନ୍ବୟ ଗୋଷ୍ଠୀ’ (ଏଚ୍‌ଏସି) ନାମରେ ନାମିତ। ଏହା ୨୦୩୦ ସୁଦ୍ଧା ପୃଥିବୀର ଉଭୟ ସ୍ଥଳଭାଗ ଏବଂ ସମୁଦ୍ରାଞ୍ଚଳର ଅତି କମ୍‌ରେ ୩୦ ପ୍ରତିଶତ ଅଞ୍ଚଳର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଥିବା ବୈଶ୍ବିକ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଉତ୍ସାହିତ କରୁଛି, ଯାହା ‘୩୦x୩୦’ ଲକ୍ଷ୍ୟ ରୂପେ ଆଖ୍ୟାୟିତ। ଏହି ଲକ୍ଷ୍ୟର କାର୍ଯ୍ୟକାରିତା ଉପଲବ୍ଧ ଶ୍ରେଷ୍ଠ ବିଜ୍ଞାନସମ୍ମତ କାର୍ଯ୍ୟଧାରା ସହ ଆଦିମ ଜନଜାତି ଏବଂ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଅଧିକାର ପ୍ରତି ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ ପୂର୍ବକ ନିର୍ଦ୍ଦିଷ୍ଟ ଅଞ୍ଚଳର ପରିସ୍ଥିତିକୁ ବିଚାରକୁ ନେଇ ଏକ ରାଷ୍ଟ୍ରର ସମ୍ମିଳିତ ସାର୍ବଭୌମ ନିଷ୍ପତ୍ତି ଦ୍ୱାରା ହେବ। ଏହି ୩୦x୩୦ ହେଉଛି ଏକ ସଶକ୍ତ ଯୋଜନା ଯାହା ପ୍ରକୃତିର ଭୟାବହ ଅବକ୍ଷୟକୁ ମନ୍ଥର କରିବାରେ, ବିଶ୍ୱ ଜଳବାୟୁ ସଙ୍କଟକୁ ମୁକାବିଲା କରିବାରେ ଏବଂ ପ୍ରଦୂଷଣକୁ ଶୋଧନ କରିବାରେ ସହାୟତା କରିବ; ଯାହା ଆମକୁ ନିର୍ମଳ ବାୟୁ ନିଃଶ୍ୱାସ ନେବାରେ ଏବଂ ବିଶୁଦ୍ଧ ଜଳ ପାନ କରିବାରେ ସକ୍ଷମ କରିବ। ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା ଏବଂ ଲାଟିନ ଆମେରିକାର କେତେକ ବିବିଧତାପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନେଇ ଏଚ୍‌ଏସି ଗଠିତ। ଭାରତ ୨୦୨୧ରୁ ଏହି ଗୋଷ୍ଠୀର ସଦସ୍ୟତା ଗ୍ରହଣ କରିଥିବା ବେଳେ ଆମେରିକା ନିକଟରେ ଏଥିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ପୃଥିବୀର ୧୭ଟି ଦେଶ ‘ମେଗାଡାଇଭର୍ସ ରାଷ୍ଟ୍ର’ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଅଛନ୍ତି, ଯେଉଁମାନେ କି ବହୁ ସଂଖ୍ୟକ ଜୀବଜାତିଙ୍କୁ, ବିଶେଷକରି ବିବିଧ ସ୍ବସ୍ଥାନୀୟ (ଏଣ୍ଡେମିକ) ଜୀବମାନଙ୍କୁ ଧାରଣ କରିଥା’ନ୍ତି। ନିଜ ଦେଶର ୩୦ ପ୍ରତିଶତ ଅଞ୍ଚଳକୁ ସଂରକ୍ଷଣ କରିବାକୁ ବାଇଡେନ୍‌ ପ୍ରଶାସନ ପ୍ରତିବଦ୍ଧତା ପ୍ରକାଶ କରି ନିକଟରେ ଏକ ବିଲିୟନ ଡଲାରର ଏକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବକ ଏହି ଲକ୍ଷ୍ୟ କିପରି ବିଶ୍ୱସ୍ତରରେ ଅଗ୍ରଗତି ହାସଲ କରିବ ସେଥି ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି।
ଜି-୭ ଗୋଷ୍ଠୀ ଦ୍ୱାରା ୩୦x୩୦ର ବିଶ୍ୱସ୍ତରୀୟ ଲକ୍ଷ୍ୟ ମଧ୍ୟ ଅନୁମୋଦିତ ହୋଇଛି ଏବଂ ଏହା ୨୦୨୨ ଅକ୍ଟୋବରରେ ଚାଇନାର କୁନ୍‌ମିଙ୍ଗ ସହରରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜୈବବିବିଧତା ଚୁକ୍ତିନାମା (ସିବିଡି)ର ୧୫ତମ ସମ୍ମିଳନୀର ଦ୍ୱିତୀୟ ଅଧ୍ୟାୟର କେନ୍ଦ୍ରୀୟ ପ୍ରସଙ୍ଗ ପାଲଟିଛି, ଯାହାକି ‘୨୦୨୦-ପରବର୍ତ୍ତୀ ବୈଶ୍ବିକ ଜୈବବିବିଧତା ଢାଞ୍ଚା’ ରୂପେ ଜ୍ଞାତ। ଏହି ୨୦୨୦-ପରବର୍ତ୍ତୀ ଢାଞ୍ଚାକୁ ‘୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତି’ ପରି ଆମ ଗ୍ରହର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବ୍ରାଜିଲର ରିଓଠାରେ ୧୯୯୨ରେ ଅନୁଷ୍ଠିତ ଧରିତ୍ରୀ ସମ୍ମିଳନୀ ଅବସରରେ ଜୈବବିବିଧତା ଚୁକ୍ତିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।
ଅଧିକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ ନିମନ୍ତେ ଦୁଇ ବର୍ଷ ଅନ୍ତରରେ ସିବିଡି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ସମ୍ମିଳନୀ ଆୟୋଜନ ହୋଇଥାଏ। ପ୍ରାକୃତିକ ବାସସ୍ଥଳୀଗୁଡ଼ିକର ଅବକ୍ଷୟକୁ ରୋକିବା ତଥା ଏହାକୁ ପ୍ରତିବନ୍ଧିତ ଓ ବିପରୀତମୁଖୀ କରିବା ଉଦ୍ଦେଶ୍ୟରେ ଏକ ବିଶ୍ୱସ୍ତରୀୟ ପ୍ରୟାସ ରୂପେ ଜାତିସଂଘ ମଧ୍ୟ ୨୦୨୧-୨୦୩୦ ଦଶନ୍ଧିକୁ ‘ପରିସଂସ୍ଥା ପୁନରୁଦ୍ଧାରର ଦଶନ୍ଧି’ ରୂପେ ଘୋଷଣା କରିଛି, ଯାହାକି ପୃଥିବୀର ସୁସ୍ଥତା ହାସଲ ନିମନ୍ତେ ଏକ ସର୍ବୋତ୍ତମ ପ୍ରୟାସ।
ଏବେକୁନ୍‌ମିଙ୍ଗ ଅଧିବେଶନରେ ଆମ ଗ୍ରହର ସର୍ବନିମ୍ନ ୩୦ପ୍ରତିଶତ ଅଞ୍ଚଳର ସୁରକ୍ଷାକୁ ନିଶ୍ଚିତ କରିବା ନିମନ୍ତେ ହେବାକୁ ଥିବା ପ୍ରଥମ ଖୋଲା ବୁଝାମଣା ଯଥେଷ୍ଟ ସମର୍ଥନ ହାସଲ କରିଛି ସତ; କିନ୍ତୁ ଏହି ନୂତନ ପ୍ରୟାସ ପଥରେ ରହିଥିବା କେତେକ ପ୍ରମୁଖ ପ୍ରତିବନ୍ଧକ ଏପର୍ଯ୍ୟନ୍ତ ସମାଧିତ ହୋଇନାହିଁ।
ଏଥିରେ ଅନ୍ତର୍ଭୁକ୍ତ ରହିଛି ପ୍ରକୃତିର ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ଆବଶ୍ୟକ ବାର୍ଷିକ ୭୦୦ ବିଲିୟନ ଡଲାର ପାଣ୍ଠିର ସୁବ୍ୟବସ୍ଥା ହେବାର ଚ୍ୟାଲେଞ୍ଜ। ତେଣୁ ବୁଝାମଣାର ସାଫଲ୍ୟ ଅର୍ଜନ ମୂଳରେ ରହିଛି ଆର୍ଥିକ ପ୍ରସ୍ତୁତି, କାର୍ଯ୍ୟକ୍ରମ କରିବାର ପ୍ରତିବଦ୍ଧତା ଏବଂ ସମଭାବରେ ଲାଭର ବଣ୍ଟନ ନିମନ୍ତେ ସମାଧାନର ପନ୍ଥା ନିରୂପଣ। ସମ୍ମିଳନୀ ପୂର୍ବରୁ ପ୍ରକୃତି ନିମନ୍ତେ ଅଭିଯାନ, ପ୍ରକୃତି ସଂରକ୍ଷଣ, ଡବ୍ଲ୍ୟଡବ୍ଲ୍ୟଏଫ୍‌ ଏବଂ ବିଶ୍ୱ ସମ୍ବଳ ପ୍ରତିଷ୍ଠାନ ସମେତ ଏକ ସମ୍ମିଳିତ ପରିବେଶ ଗୋଷ୍ଠୀ ଧନୀକ ରାଷ୍ଟ୍ରଗୁଡ଼ିକ ଉଦ୍ଦେଶ୍ୟରେ ବାର୍ଷିକ ନୂ୍ୟନତମ ୬୦ ବିଲିୟନ ଡଲାରର ଲକ୍ଷ୍ୟକୁ ପୂରଣ କରିବାକୁ ଆହ୍ବାନ ଜଣାଇଛି। ପ୍ରାୟ ୧୦୦ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ‘ପ୍ରକୃତି ପାଇଁ ଅଭିଯାନ’ ମିଳିତ ମଞ୍ଚ ପରବର୍ତ୍ତୀ ଦଶନ୍ଧି ମଧ୍ୟରେ ପ୍ରାକୃତିକ ପରିସଂସ୍ଥାସବୁର ସୁରକ୍ଷା ପାଇଁ ଧାର୍ଯ୍ୟ ସମ୍ମିଳନୀର ନୂତନ ଉଚ୍ଚାଭିଳାଷୀ ଲକ୍ଷ୍ୟକୁ ବାସ୍ତବତାର ରୂପ ଦେବା ନିମନ୍ତେ ସହମତି ଭିତ୍ତିରେ କାର୍ଯ୍ୟଧାରା ଅବ୍ୟାହତ ରଖିଛି। ସମ୍ମିଳନୀର ଏହି ଉଚ୍ଚାକାଂକ୍ଷୀ ଯୋଜନା କାର୍ଯ୍ୟରେ ରୂପାନ୍ତରିତ ହେଲେ ଜୈବବିବିଧତା ସହ ସମାଜ ସମ୍ପର୍କରେ ଅଭୂତ ସକାରାତ୍ମକ ପରିବର୍ତ୍ତନ ଘଟିବ ଏବଂ ପ୍ରକୃତି ସହିତ ସୁସମ୍ପର୍କରେ ଜୀବନଧାରଣ କରିବାର ସମଦୃଷ୍ଟି ମାନସିକତା ୨୦୫୦ ସୁଦ୍ଧା ବାସ୍ତବତାର ରୂପ ନେବ।
ପ୍ରକୃତି ସମ୍ମୁଖୀନ ହେଉଥିବା ମାନବସୃଷ୍ଟ ସଙ୍କଟକୁ ଦୂର କରିବା ପାଇଁ ବିଶ୍ୱର ରାଷ୍ଟ୍ରସମୂହ ସମ୍ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରି ‘୩୦x୩୦’ ଲକ୍ଷ୍ୟ ହାସଲର ପ୍ରୟାସକୁ ବାସ୍ତବତାରେ ପରିଣତ କରିବା ମାନବଜାତିର ବିଜ୍ଞତା ପ୍ରଦର୍ଶନର ଏକ ଶ୍ରେଷ୍ଠ ନିଦର୍ଶନ ହେବ ।

-ଡ. ଜୟକୃଷ୍ଣ ପାଣିଗ୍ରାହୀ
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର, ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri