ଭବାନୀପାଟଣା,୧୫।୧୧(ସ୍ବ.ପ୍ର.): ସରକାର ବନବାସୀ, ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ସବୁ କାଗଜ କଲମରେ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କ ଫାଇଲ ତଳେ ଚାପି ହେଇଯାଉଛି ଅଞ୍ଚଳର ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ, ମୋବାଇଲ ନେଟୱାର୍କ ଏମାନଙ୍କ ପାଇଁ ଫେଲ ମାରିଛି। ଜଙ୍ଗଲୀ ମୂଳକରେ ବସାବାନ୍ଧିଥିବା ସରଳ ଆଦିବାସୀ ବିକାଶ କ’ଣ ଜାଣି ନ ଥିବା ବେଳେ ବର୍ଷ ବର୍ଷ ଧରି ଗମନାଗମନ ପାଇଁ ବଣପାହାଡ଼ ଭିତରେ ଥିବା ପାଦଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଜୀବନକୁ ବାଜି ଲଗେଇ ନଈ ନାଳ ପାଣି ପିଇ ବଞ୍ଚତ୍ବା ପାଇଁ ଏବେବି ସଂଘର୍ଷ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ମାଓବାଦୀ ଅଧ୍ୟୁଷିତ ସୂର୍ଲି ଗାଁରେ। ସୂର୍ଲି ଗାଁରେ ପୂର୍ବ ପୁରୁଷ ଧରି ଜନବସତି ରହିଥିବା ବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ। ଏଠାରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାସ କରନ୍ତି। ଚାରିଆଡେ ବଣପାହାଡ଼ ଥିବା ବେଳେ ଗାଁକୁ ଘେରି ରହିଛି ଶଗଡା ନଦୀ। ଗ୍ରାମକୁ ଯିବାକୁ ହେଲେ ପ୍ରଥମେ ମାଇଲ ମାଇଲ ପାଦଚଲା ଜଙ୍ଗଲୀ ରାସ୍ତା ଦେଇ ଯିବା ପରେ ଶଗଡା ନଦୀ ଓ ନାଳ ପାର ହେବାକୁ ପଡିଥାଏ। ବର୍ତ୍ତମାନ ଗାଁରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ଗୋଟିଏ ନଳକୂପ ଅଛି। ଫଳରେ ପାଣି ପାଇଁ ଲୋକେ ଏବେ ବି ଶଗଡା ନଦୀର ପାଣି ପାଇଁ ଜୀବନ ବଞ୍ଚାଉଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ଦେଦରକୁ ଯିବାକୁ ହେଲେ ୮ କି.ମି. ଯାଉଥିବା ବେଳେ ବ୍ଲକ ମହକୁମା ଜୁନାଗଡ଼କୁ ଆସିବାକୁ ହେଲେ ୨୦ କି.ମି. ଆସିବାକୁ ପଡିଥାଏ। ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁ ଏହି ଗାଁରେ କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କ କେବେ ମଧ୍ୟ ପାଦ ପଡେ ନାହିଁ। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ଖଟିଆରେ ବୋହି ଆଣି ଡାକ୍ତରଖାନାକୁ ନେଇଥାନ୍ତି। ନେଟୱାର୍କ ନ ଥିବାରୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ଗ୍ରୀଷ୍ମ ଓ ଶୀତ ଋତୁରେ ଜେନତେନ ପ୍ରକାରେଣ ଚଳିଯିବା ବେଳେ ବର୍ଷା ଋତୁରେ ଜଳବନ୍ଦୀ ହୋଇଥାନ୍ତି। ସରଳି ଆଦିବାସୀମାନେ ଏମ୍ଜିଏନ୍ଆରଇଜିଏସ୍ ଜାଣି ନାହାନ୍ତି। ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଅନେକ ପରିବାର ଆଜି ମଧ୍ୟ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରଥମ ଶିକ୍ଷା ପରେ ଉଚ୍ଚ ଶିକ୍ଷା ଛାତ୍ରୀଛାତ୍ରଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ସଚେତନତା ଅଭାବରୁ ଅତି କମ ବୟସରେ ବିବାହ ହେବା ପରେ ପରିବାର ପ୍ରତିପୋଷଣ ମୁଣ୍ଡ ଉପରେ ପଡି ଯାଉଛି। ଏଠାରେ ରାସ୍ତା, ପାନୀୟଜଳ ଓ ମୋବାଇଲ ନେଟୱାର୍କ ସ୍ବପ୍ନ। ଆଉ କେତେବର୍ଷ ଜଙ୍ଗଲୀ ମୂଳକରେ ବନ୍ୟପ୍ରାଣୀ ସହ ଜୀବନ ଅତିବାହିତ କଲେ ଏହି ଆଦିବାସୀ ବିକାଶର ବାଟ ଦେଖି ପାରିବେ। ସରକାର କେବେ ଏମାନଙ୍କ ସମସ୍ୟା ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।