ଲୁଚି ଗାଁକୁ ଫେରିଲେ ୩୦ ଦାଦନ ଶ୍ରମିକ

ଭବାନୀପାଟଣା,୮।୫(ସ୍ବ.ପ୍ର.): ତେଲଙ୍ଗାନାରେ କାମ କରିବାକୁ ଯାଇ ସେଠାରେ ନିର୍ଯାତିତ ହେବା ଯୋଗୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଲୁଚି ଗାଁକୁ ଫେରି ଆସିଥିଲେ। ପରେ ନ୍ୟାୟ ପାଇଁ ଗତ କିଛି ତଳେ ସେମାନେ କଳାହାଣ୍ଡି ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏ ନେଇ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ। ଏହି ଅଭିଯୋଗରେ ତେଲଙ୍ଗାନାରେ କେତେଜଣ ନାବାଳିକା ଫସି ରହିଥିବା ସେମାନେ କହିଥିଲେ। ସମସ୍ତେ ଜିଲାର ଲାଞ୍ଜିଗଡ଼ ବ୍ଲକ ଅଧୀନ ବିଜେପୁର, ମାଲିଜୁବାଙ୍ଗ, କାନକୁଟ୍ରୁ ଅଞ୍ଚଳର। ତେଲଙ୍ଗାନାର ଏକ ଚିଙ୍ଗୁଡ଼ି କମ୍ପାନୀରେ ସେମାନେ କାମ କରୁଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ନିର୍ଯାତନା ସହ ମାଡ଼ ମରାଯାଇଥିବା ନେଇ ସେମାନେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ତପ୍ତରତା ଦେଖିବାକୁ ମିଳିଛି। ରବିବାର ଜିଲାର ବିଶ୍ୱନାଥପୁର ଥାନା ପୋଲିସ ଏହି ମାମଲାରେ ୨ ଦାଦନ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାୟଗଡା ଜିଲାର କ୍ଷେତ୍ର କୁମାର ଓ ନରେଶ କୁମାର ବୋଲି ଜଣାପଡିଛି।

Share