ସଡ଼କ ଦୁର୍ଘଟଣା ଦୂରେଇଦେଲା ୩୦ ବର୍ଷ

ରାଜନଗର, ୧୦ା୧୦ (ଭାସ୍କର ରାଉତରାୟ):ପେଟ ପୋଷିବା ପାଇଁ ୩୦ ବର୍ଷ ତଳେ ଗାଁ ଘର ଛାଡ଼ି ରାଜସ୍ଥାନ ଯାଇଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଯୁବକ ଯାମିନୀ ସେଠୀଙ୍କ ଖୋଜଖବର ମିଳି ନ ଥିଲା। ବର୍ଷ ବର୍ଷ ଧରି ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ ପରିବାର ଲୋକେ। ବହୁ ଖୋଜାଖୋଜି ପରେ ବି ଯାମିନୀଙ୍କ କୌଣସି ପତ୍ତା ନ ମିଳିବାରୁ ସେ ମରିଯାଇଥିବେ ଭାବି ପରିବାର ଲୋକେ ଓ ଆତ୍ମୀୟ ସ୍ବଜନ ଗତ ୮ ବର୍ଷ ତଳେ ଶୁଦ୍ଧି ହୋଇପଡ଼ିଥିଲେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା। ରବିବାର ଅପରାହ୍ନରେ ହଠାତ୍‌ ଯାମିନୀ ଗାଁରେ ପାଦ ରଖିଥିଲେ। ତାଙ୍କୁ ଦେଖି ଗାଁଲୋକେ ଭାବବିହ୍ବଳ ହୋଇପଡ଼ିଥିଲେ। ହେଲେ ଘରେ ପହଞ୍ଚତ୍ବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କୁ ଝୁରି ଝୁରି ମା’ବାପା କେବେଠୁ ଆଖିବୁଜିଦେଇଥିବା ଜାଣିବା ପରେ ଯାମିନୀ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ପରେ ନିଜ ଭାଇ, ଭାଉଜ, ପୁତୁରା ଓ ଝିଆରୀଙ୍କୁ ଦେଖି ଖୁସି ହୋଇଥିଲେ। ଏକ ସଡ଼କ ଦୁର୍ଘଟଣା ଯାମିନୀଙ୍କୁ ପରିବାର ସହ ଏତେ ଦିନ ଦୂରେଇ ଦେଇଥିଲା।
ସୂଚନା ମୁତାବକ, ଢୋଲମରାର ପାଣ୍ଡବ ସେଠୀଙ୍କ ସାନପୁଅ ହେଉଛନ୍ତି ଯାମିନୀ। ସେ ଦାଦନ ଖଟିବାକୁ ରାଜସ୍ଥାନ ଯିବାବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା। ସେଠାରେ ଏକ ଦୁର୍ଘଟଣାର ଶିକାର ହୋଇ ସେ ସ୍ମୃତିଶକ୍ତି ହରାଇବସିଥିଲେ। ଫଳରେ ସେ କିଏ ଏବଂ ତାଙ୍କର ଘର କେଉଁଠି ତାହା କାହାକୁ କହିପାରୁ ନ ଥିଲେ। ମହାରାଷ୍ଟ୍ରର ଥାନେ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନ ତାଙ୍କୁ ନିଜ ହେପାଜତରେ ରଖି ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା କରାଉଥିଲେ। ମାସକ ତଳେ ହଠାତ୍‌ ଯାମିନୀଙ୍କର ଗାଁ, ପରିବାର କଥା ମନେ ପଡ଼ିଥିଲା। ସେ ତାଙ୍କର ପରିଚୟ ଦେବା ସହ ଘରକୁ ଫେରିବାକୁ କହିଥିଲେ। ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନର ୩ଜଣ ସଦସ୍ୟ ଯାମିନୀଙ୍କୁ ସାଙ୍ଗରେ ଧରି ରବିବାର ଟ୍ରେନରେ ଭୁବନେଶ୍ୱରରେ ଓହ୍ଲାଇବା ପରେ ଅଟୋ ଯୋଗେ ଗାଁରେ ପହଞ୍ଚତ୍ଥିଲେ। ସେମାନେ ଯାମିନୀଙ୍କୁ ପରିବାର ଲୋକଙ୍କୁ ଜିମା ଦେବା ସହ ସେ ଚିକିତ୍ସିତ ହେଉଥିବା ପ୍ରେସ୍‌କ୍ରିପଶନ ଓ ମେଡିସିନ ଦେଇ ଫେରିଯାଇଛନ୍ତି।